ଅଭିଭାବକ ନବୁଝିଲେ ଭୁଷୁଡିଯିବ ଶିକ୍ଷା ବ୍ୟବସ୍ଥା: ସଂଘ
ହସ୍ତକ୍ଷେପ କରନ୍ତୁ ସରକାର: ପବିତ୍ର ରାଉତରାୟ
ଭୁବନେଶ୍ୱର, ୧୯/୦୬: ମହାମାରୀ କରୋନା ସମଗ୍ର ବିଶ୍ୱର ଅର୍ଥନୀତିକୁ ବିଗାଡି ଦେଇଥିବା ବେଳେ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ବିଶେଷ କରି ଓଡ଼ିଶାର ଘରୋଇ ବିଦ୍ୟାଳୟ ଗୁଡିକ ଏହାର କୁପରିଣାମ ଭୋଗିବା ଆରମ୍ଭ କଲେଣି । ରାଜ୍ୟ ସରକାରଙ୍କ ସମସ୍ତ ନିୟମ ସହିତ କେନ୍ଦ୍ର ଦେଇଥିବା ମାର୍ଗଦର୍ଶିକା ଅନୁସାରେ ଘରୋଇ ବିଦ୍ୟାଳୟ ଏବେ ଶିକ୍ଷାଦାନ କରୁଥିଲା ବେଳେ ଏଥିରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି ଅଭିଭାବକ । କାରଣ ସ୍ୱରୂପ କୋଭିଡ-୧୯ ଯୋଗୁ ପିଲାମାନେ ଶ୍ରେଣୀକୁ ନଆସି ଘରେ ରହି ଅନଲାଇନରେ ପାଠ ପଢ଼ୁଥିବାରୁ ସେମାନେ ସ୍କୁଲ ଫି’ ଓ ଅନ୍ୟ ଉନ୍ନୟନ ଖର୍ଚ୍ଚ ଦେବାକୁ ଅମଙ୍ଗ ହେଉଛନ୍ତି ।
ତେବେ ପ୍ରସଙ୍ଗ ହେଉଛି ଅଭିଭାବକମାନେ ଘରୋଇ ବିଦ୍ୟାଳୟର ଅସୁବିଧାକୁ ହୃଦୟଙ୍ଗମ ନକରି ଏକତରଫା ଭାବେ ନିଷ୍ପତ୍ତି ନେବା କେତେ ଯଥାର୍ଥ । କାରଣ ନିଜ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଉନ୍ନତ ଭିତ୍ତିଭୂମି ଥିବା ତଥା ଉତ୍ତମ ବିଦ୍ୟାଳୟକୁ ଚୟନ କରୁଥିବା ଅଭିଭାବକମାନେ ଭଲଭାବେ ଜାଣନ୍ତି ଯେ, ଘରୋଇ ବିଦ୍ୟାଳୟକୁ ସରକାରୀ ଅର୍ଥ ମିଳିନଥାଏ । ଏଥିପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜସ୍ୱ ଉଦ୍ୟମରେ କୋଟି କୋଟି ଟଙ୍କା ଋଣ କରିଥାନ୍ତି । ଉନ୍ନତ ପରିବେଶ, ଆଦର୍ଶ ଶିକ୍ଷକ, ଉତ୍ତମ କର୍ମଚାରୀ, ପରିବହନ ସୁବିଧା, ସୁରକ୍ଷା, ସ୍ୱାସ୍ଥ୍ୟର ଦାୟିତ୍ୱ ପାଇଁ ଘରୋଇ ବିଦ୍ୟାଳୟ ଅଜସ୍ର ଅର୍ଥ ବ୍ୟୟ କରୁଛନ୍ତି । କୌଣସି ବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନ ବ୍ୟବସାୟିକ କେନ୍ଦ୍ର ନୁହେଁ । ଏହା ଏକ ମନ୍ଦିର ଭଳି ପବିତ୍ର ସ୍ଥାନ । ପଞ୍ଚତାରକା ହୋଟେଲ ଭଳି ଘରୋଇ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଓ ବଗିଚା ପାଇଁ ଯଥେଷ୍ଟ ଅର୍ଥ ବ୍ୟୟ ହେଉଛି । ଏଥିପାଇଁ ଜମି କିଣିବା ଠାରୁ ବିଲ୍ଡିଂ ତିଆରି ପର୍ଯ୍ୟନ୍ତ କୌଣସି ସରକାରୀ ଅର୍ଥ ମିଳୁନାହିଁ ।
ବିଦ୍ୟାଳୟ ପରିଚାଳନା କର୍ତ୍ତୃପକ୍ଷ ଏଥିପାଇଁ ଶ୍ରମ, ଅର୍ଥ ଖର୍ଚ୍ଚ ସହ ଯଥେଷ୍ଟ ଭାରାକ୍ରାନ୍ତ ଥାଆନ୍ତି । ବିଜୁଳି, ପାଣି ଠାରୁ ଆରମ୍ଭ କରି ବାହାର ଶିକ୍ଷାନୁଷ୍ଠାନରୁ ଭିଜିଟିଂ ଟିଚର ଆଣିବା ପାଇଁ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡେ । ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ ପାଇଁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମାସିକ ବେତନ ବାବଦରେ ଖର୍ଚ୍ଚ ହେଉଥିବା ଅର୍ଥର ପରିମାଣ ମଧ୍ୟ ବହୁତ ଅôଧକ । ଯାହାକି ନିୟମିତ ପ୍ରତି ମାସର ନିର୍ଦ୍ଦିଷ୍ଟ ତାରିଖରେ ଦେବାକୁ ପଡିଥାଏ । ଘରୋଇ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଯେଭଳି ଉଦ୍ୟମ କରାଯାଏ ତାହାର ସାମାନ୍ୟ ଅଂଶ ସରକାରୀ ବିଦ୍ୟାଳୟରେ ନଥାଏ । ଏତେସବୁ ସତ୍ତ୍ୱେ ଏହି ବିଦ୍ୟାଳୟ ଗୁଡିକ ପ୍ରତି ସରକାର ସାମାନ୍ୟତମ ଦରଦ ଦେଖାନ୍ତି ନାହିଁ ।
ଏଭଳି ପରିସ୍ଥିତିରେ ଘରୋଇ ବିଦ୍ୟାଳୟ ଗୁଡିକ କିଭଳି ବଞ୍ଚି ରହିବ ତାହା ଅଭିଭାବକମାନେ ଚିନ୍ତା କରିବା ଉଚିତ । ସେପରି ନହେଲେ ଆଗାମୀ ଦିନରେ ବ୍ୟାଙ୍କରୁ ଋଣ ଆଣି ସ୍କୁଲ ଚଳାଇବା ଆଦୌ ସମ୍ଭବପର ନୁହେଁ । ଶିକ୍ଷା, ଶିକ୍ଷକ ଓ ବିଦ୍ୟାଳୟର ଭବିଷ୍ୟତ ଅଭିଭାବକ ଓ ରାଜ୍ୟ ସରକାରଙ୍କ ଉପରେ ସମ୍ପୂର୍ଣ୍ଣ ନିର୍ଭର କରୁଛି । ବିପର୍ଯ୍ୟୟ ଘଟିବା ପୂର୍ବରୁ ଏହାକୁ ସଚେତନ ଅଭିଭାବକ, ବୁଦ୍ଧିଜୀବୀ ଓ ଶିକ୍ଷା ବିଭାଗ ଅନୁଭବ କରି ଘରୋଇ ବିଦ୍ୟାଳୟ ଗୁଡିକ ପୁନର୍ବାର କିଭଳି ଶିକ୍ଷାଦାନ କରିପାରିବେ ସେ ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ ହୋଇପଡିଛି । ଏଭଳି ସମସ୍ୟାର ସମାଧାନ ଦିଗରେ ଘରୋଇ ବିଦ୍ୟାଳୟ ସଂଘ ପକ୍ଷରୁ ରାଜ୍ୟ ସରକାର ଓ ଅଭିଭାବକ ମାନଙ୍କ ସହ ଖୁବଶୀଘ୍ର ଆଲୋଚନା କରାଯାଇ ସମାଧାନର ରାସ୍ତା ବାହାର କରାଯିବ ବୋଲି ଘରୋଇ ବିଦ୍ୟାଳୟ ସଂଘ ସାଧାରଣ ସମ୍ପାଦକ ପବିତ୍ର ରାଉତରାୟ କହିଛନ୍ତି ।