ଇଭିଏମ୍ ଭାଙ୍ଗି ନୀଳମଣି ଜେଲ୍ ଗଲେ
ଭୁବନେଶ୍ଵର, ଏପ୍ରିଲ ୧୯: ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀରେ ଇଭିଏମ୍ ଭଙ୍ଗାରୁଜା ଘଟଣାରେ ବିଜେପି ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀଙ୍କୁ ଜେଲ୍ ଯିବାକୁ ପଡ଼ିଛି । ଗତକାଲି ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେ ଜାମିନ୍ ଆବେଦନ କରିଥିଲେ। ତେବେ ତାହା ଖାରଜ ହୋଇଯିବାରୁ ତାଙ୍କୁ ଜେଲ୍ ପଠାଇ ଦିଆଯାଇଛି।
ଗତକାଲି ମତଦାନ ଚାଲିଥିବା ବେଳେ ସୋରଡ଼ା ନିର୍ବାଚନମଣ୍ଡଳୀର ରେଣ୍ଟି ଗାଁର ୧୮୨ ନମ୍ବର ବୁଥ୍ରେ ଇଭିଏମ୍ ଭଙ୍ଗାରୁଜା ହୋଇଥିଲା। ନୀଳମଣି ଇଭିଏମ୍ ଭାଙ୍ଗିଥିବା ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଥିଲେ। ଏହାପରେ ପୁଲିସ୍ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିଥିଲା । ବୁଥ୍ ଭିତରେ ଯେଉଁ ଏଜେଣ୍ଟମାନେ ଥିଲେ, ସେମାନଙ୍କ ସୂଚନା ଆଧାରରେ ପୁଲିସ୍ ମାମଲା ରୁଜୁ କରିଛି। ନୀଳମଣି ଯେଉଁ ଅଭିଯୋଗ କରିଛନ୍ତି, ତାହାର ସତ୍ୟାସତ୍ୟ ନାହିଁ ବୋଲି ସୋରଡ଼ା ଥାନା ଆଇଆଇସି ପ୍ରଭାତ ସାହୁ କହିଛନ୍ତି।