ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟସେବା ପାଇଁ କେନ୍ଦ୍ରାପଡାର ୪ଜଣ ପୁରସ୍କୃତ
ଭୁବନେଶ୍ୱର, ୧୩/୧୨: ହେଲଥ ଆଣ୍ଡ ୱେଲନେସ୍ ସେଣ୍ଟରରେ ଉତ୍ସର୍ଗୀକୃତ ସେବା ପ୍ରଦାନ ଲାଗି କେନ୍ଦ୍ରାପଡା ଜିଲ୍ଲାର ୪ଜଣ ପୁରସ୍କୃତ ହୋଇଛନ୍ତି । ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ପାଇଥିବା ବ୍ୟକ୍ତିମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ଓଳାଭର ହେଲଥ ଆଣ୍ଡ ୱେଲନେସ୍ ସେଣ୍ଟରର ମେଡିକାଲ ଅଫିସର ଡକ୍ଟର ସୌମ୍ୟ ରଞ୍ଜନ ନାୟକ, ମହାକାଳପଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ଜମ୍ବୁ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ରଶ୍ମିତା ସାମଲ, ଏଏନ୍ଏମ୍ ସଚି ମିଶ୍ର ଏବଂ ଆଶାକର୍ମୀ ରଞ୍ଜିତା ମଣ୍ଡଳ ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ପରାମର୍ଶ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ବହୁବିଧ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଅଣସଂକ୍ରମିତ ରୋଗ ବିଶେଷକରି ମଧୁମେହ, ଉଚ୍ଚ ରକ୍ତଚାପ, ମୁଖ ଗହ୍ୱର କର୍କଟ, ସ୍ତନ କର୍କଟ ଓ ଗର୍ଭାଶୟ କର୍କଟ ନିୟନ୍ତ୍ରଣ ନିମନ୍ତେ ୩୦ବର୍ଷ ବୟରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କର ରୋଗ ଚିହ୍ନଟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ୨୦୧୮-୧୯ ବର୍ଷରେ ରାଜ୍ୟର ୨୫ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କର ପରୀକ୍ଷା କରାଯାଇଥିଲା । ୨୦୧୯-୨୦ ବର୍ଷରେ ୪୫ଲକ୍ଷରୁ ଉଦ୍ଧ୍ୱର୍ ଲୋକଙ୍କର ପରୀକ୍ଷା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏ କ୍ଷେତ୍ରରେ ପ୍ରତିଷ୍ଠା କରାଯାଇଥିବା ହେଲଥ ଆଣ୍ଡ ୱେଲନେସ୍ କେନ୍ଦ୍ର ଗୁଡିକ ବିଶେଷ ସହାୟକ ହୋଇପାରିଛି । ଚଳିତବର୍ଷ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରୋଗ ନିରୂପରଣ କାର୍ଯ୍ୟକୁ ବ୍ୟାପକ କରାଯାଇ ୫୦ପ୍ରତିଶତରୁ ଅଧିକ ଲୋକଙ୍କ ପରୀକ୍ଷା ଲାଗି ଉଦ୍ୟମ ଚଳାଯିବ ।
ଆୟୋଜିତ ଉତ୍ସବରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ, ମନ୍ତ୍ରାଳୟର ସଚିବ ପ୍ରୀତି ସୁଦାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ବନ୍ଦନା ଗୁର୍ନାନୀ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।