କରୋନା: ଘୋଷଣାକୁ ନେଇ ଦ୍ୱନ୍ଦ୍ୱ, ବଦଳିପାରେ ନିୟମ
ଭୁବନେଶ୍ୱର: ମହାମାରୀ କରୋନାର କରାଳରୂପକୁ ଦେଖି ସମଗ୍ର ଦେଶରେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଆସନ୍ତା ୧୫ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନ୍ କାର୍ଯ୍ୟକାରୀ ହେବ । ମାତ୍ର ଆଗକୁ ଏହା ବୃଦ୍ଧି ପାଇବ ନାଁ ଏହିଠାରେ ଶେଷ ହେବ ତାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖା ଦେଇଛି ।
୧୧ରାଜ୍ୟ ନିଜ ନିଜ ଅଂଚଳରେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଏହି ଲକ୍ ଡାଉନକୁ ବଢ଼ାଇ ସାରିଥିଲା ବେଳେ ଅନ୍ୟ ଦୁଇ ଗୋଟି ରାଜ୍ୟ ଏହାକୁ ସମର୍ଥନ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା ସମୟରେ ଲକ୍ ଡାଉନକୁ ବଢ଼ାଇବାକୁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ମାତ୍ର ଦେଶର ଅର୍ଥନୀତିକୁ ଦେଖିଲେ ଏହାର ଅବସ୍ଥା ଦୁର୍ବିସହ ହୋଇପଡିଛି । ଉଭୟ ଅର୍ଥନୀତି ଓ ଜନକଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ରସରକାର ଦ୍ୱନ୍ଦ୍ୱରେ ପଡିଯାଇଥିବା ଅନୁମାନ କରାଯାଉଛି ।
ପ୍ରଧାନମନ୍ତ୍ରୀ ସଂକ୍ରମଣକୁ ରୋକିବା ପାଇଁ ପ୍ରଥମେ ଜନତା କର୍ଫୁ୍ ଓ ପରେ ପରେ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏହି ଲକ୍ ଡାଉନ୍ ଯୋଗୁ ସମଗ୍ର ଦେଶରେ ୯ ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ମଧ୍ୟ ହୋଇସାରିଛି । ଏଣୁ ଏହାକୁ ଦୃଷ୍ଟିରେ ରଖି ଲକ୍ ଡାଉନ୍ ନିୟମ ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଥିବା ଆଲୋଚନା ହେଉଛି ।
ବିଶେଷ କରି କରୋନା ସଂକ୍ରମିତ ଅଂଚଳକୁ ତିନିଗୋଟି ଭାଗରେ ବିଭକ୍ତ କରି ଏଠାରେ ଜନଜୀବନକୁ ସ୍ୱଭାବିକ କରିବାକୁ ଚେଷ୍ଟା କରାଯାଇପାରେ । ଯେଉଁ ଅଂଚଳରେ ଆଦୌ ସଂକ୍ରମଣ ନଥିବ ସେହି ଅଂଚଳକୁ ସବୁଜ କ୍ଷେତ୍ର, ଯେଉଁ ଅଂଚଳରେ ଅଳ୍ପ ମାତ୍ରାରେ ରହିଥିବା ତାହାକୁ କମଳା କ୍ଷେତ୍ର ଓ ଯେଉଁ ଅଂଚଳରେ ସଂକ୍ରମଣର ମାତ୍ରା ଯଥେଷ୍ଟ ଅଧିକ ଥିବ ସେହି ଅଂଚଳକୁ ନାଲି ରଙ୍ଗର କ୍ଷେତ୍ରରେ ଚିହ୍ନିତ କରାଯିବ । ଏଣୁ ତିନିଗୋଟି ରଙ୍ଗରେ ସମସ୍ତ ଅଂଚଳକୁ ଚିହ୍ନିତ କରିବା ପାଇଁ ଯୋଜନା ରହିଥିବା ଆଲୋଚନା ହେଉଛି । ସୁବୁଠାରୁ ଆଶ୍ୱସ୍ତିର ବିଷୟ ଏହିକି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସମଗ୍ର ଭାରତ ବର୍ଷରେ ୪ଶହ ଜିଲ୍ଲାକୁ କରୋନା ଛୁଇଁ ପାରି ନାହିଁ ।
ଓଡ଼ିଶା କଥାକୁ ଚିନ୍ତା କରାଗଲେ ଏଠାରେ ମାତ୍ର ୯ଗୋଟି ଜିଲ୍ଲାରେ ସଂକ୍ରମଣ ଦେଖା ଦେଇଛି ଅନ୍ୟ ୧୯ଟି ଜିଲ୍ଲାକୁ ସଂକ୍ରମଣ ଯାଇପାରି ନାହିଁ । ଖୋର୍ଦ୍ଧା ଜିଲ୍ଳାରେ ସର୍ବାଧିକ ସଂକ୍ରମିତ ରହିଛନ୍ତି । ଏଣୁ ଖୋର୍ଦ୍ଧା ଜିଲ୍ଲାକୁ ନାଲି ରଙ୍ଗ ଓ ଅନ୍ୟ ୮ଟି ଜିଲ୍ଲାକୁ କମଳା ରଙ୍ଗରେ ଚିହ୍ନିତ କରାଯିବା ସହ ବାକି ୧୯ ଜିଲ୍ଳାକୁ ସବୁଜ ରଙ୍ଗରେ ଚିହ୍ନିତ କରାଯିବାର ସମ୍ଭାବନା ରହିଛି ।