କୋଭିଡ-୧୯: ୩ଲକ୍ଷ ୨୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଳୀ: ଭାରତ ବର୍ଷରେ ଦିନକୁ ଦିନ କରୋନା ସଂକ୍ରମଣ ଦୃତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨ହଜାରରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ଭାରତ ବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୦ହଜାର ଟପିଯାଇଛି ।
ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧ହଜାର ୯୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବା ଯୋଗୁ ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି । ମାତ୍ର ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇନଥିବା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । କେବଳ ଆକ୍ରାନ୍ତଙ୍କ ସଂଖ୍ୟା ନୁହେଁ ବରଂ ଆରୋଗ୍ୟ ହାର ମଧ୍ୟ ଦେଶରେ ବୃଦ୍ଧି ପାଇଥିବା କୁହାଯାଇଛି । ଦେଶରେ ବର୍ତ୍ତମାନ ଆରୋଗ୍ୟ ହାର ବୃଦ୍ଧିପାଇ ୫୦.୫୯ ପ୍ରତିଶତରେ ପହଞ୍ଚିଥିବା କୁହାଯାଇଛି ।
ବିଗତ ୨୪ଘଣ୍ଟା ମଧ୍ୟରେ ୧୨ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ହଜାର ୪୯ଜଣ ମଧ୍ୟ ସୁସ୍ଥ ହୋଇଥିବା କୁହାଯାଇଛି । ଫଳରେ ଆରୋଗ୍ୟଙ୍କ ସଂଖ୍ୟା ୧ଲକ୍ଷ ୬୨ହଜାର ୩୭୮ରେ ପହଞ୍ଚିଛି । ସେହିପରି ଦୈନିକ ପରୀକ୍ଷା କ୍ଷମତା ବୃଦ୍ଧିପାଇଁ ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିନ୍ତା କରାଯାଇଥିବା କୁହାଯାଇଛି । ଦୈିନିକ ବର୍ତ୍ତମାନ ପ୍ରାୟ ଦେଢ଼ ଲକ୍ଷ କୋଭିଡ ପରୀକ୍ଷା ହେଉଥିବା ବେଳେ ଖୁବ ଶୀଘ୍ର ଏହାକୁ ଦୁଇଲକ୍ଷରେ ପହଞ୍ଚାଯିବ ବୋଲି ସୂଚନା ଦିଆଯାଇଛି ।
ଦେଶର ମୋଟ ୬୪୬ଟି ସରକାରୀ ଓ ୨୪୭ ଘରୋଇ ପରୀକ୍ଷା କେନ୍ଦ୍ରରେ କୋଭିଡ ପରୀକ୍ଷା ହେଉଥିବା ବେଳେ ଏହାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।