ଗଞ୍ଜାମ ସ୍ଥିତି ମୁକାବିଲା ପାଇଁ ୩ ଆଇଏଏସ୍ ନିଯୁକ୍ତ
ଭୁବନେଶ୍ୱର: ଦିନକୁ ଦିନ ବିଗିଡିବାରେ ଲାଗିଛି ଗଞ୍ଜାମର ସ୍ଥିତି । ଏକଦା ଗ୍ରୀନ୍ ଜୋନ୍ ମଧ୍ୟରେ ରହିଥିବା ଗଞ୍ଜାମ ଜିଲ୍ଲା ଏବେ କରୋନା ସଂକ୍ରମଣ ତାଲିକାରେ ଟପ୍ ରେ ରହିଛି । ଗଞ୍ଜାମରେ ମୋଟ ୮୩ଜଣ ଆକ୍ରାନ୍ତ ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ସ୍ଥିତି ଭୟାବହ ହେଉଥିବାରୁ ପ୍ରଶାସନକୁ ସହାୟତା ଦେବା ପାଇଁ ରାଜ୍ୟସରକାର ତିନିଜଣ ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ସେଠାକୁ ପଠାଇଥିବା ସୂଚନା ଦିଆଯାଇଛି । ଏହି ତିନି ପ୍ରଶାସନିକ ଅଧିକାରୀ ଜିଲ୍ଲାପାଳଙ୍କୁ ସହାୟତା କରିବା ସହ କରୋନା ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବେ ବୋଲି ମଧ୍ୟ କୁହାଯାଇଛି ।
ଗଞ୍ଜାମ ଜିଲ୍ଲାରେ କରୋନା ମହାମାରୀ ପରି ବ୍ୟାପିବାରେ ଲାଗିଛି। ଗତ ଦେଢ଼ ମାସ ଭିତରେ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନଥିବା ଗଞ୍ଜାମ ଜିଲ୍ଲା ପାଞ୍ଚ ଦିନ ମଧ୍ୟରେ ରାଜ୍ୟରେ ସଂକ୍ରମିତ ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିଛି । ଗତ ମାର୍ଚ୍ଚ ମାସରୁ ଗଞ୍ଜାମ ଜିଲ୍ଲାରେ କରୋନା ନିୟନ୍ତ୍ରଣରେ ରହିଥିଲା । ଏପ୍ରିଲ ୨୮ତାରିଖରୁ ସୁରତ ଫେରନ୍ତାଙ୍କ ଘର ବାହୁଡ଼ା ପରେ ଜିଲ୍ଲାରେ କରୋନା ଖାତା ଖୋଲିଥିଲା । ଗତ ୨ ତାରିଖରେ ଜିଲ୍ଲାରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ୪ ଓ ୫ ତାରିଖରେ ଜଣେ ଲେଖାଏଁ ଚିହ୍ନଟ ହୋଇଥିଲେ । ୬ ତାରିଖରେ ୧୭, ୭ ତାରିଖରେ ୨୬ ଓ ୮ ତାରିଖରେ ୨୪ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳୁ ସକାଳୁ ପୁଣି ୧୨ଜଣ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗଞ୍ଜାମ ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଯାଜପୁର ଦ୍ୱିତୀୟରେ ଓ ଖୋର୍ଦ୍ଧା ତୃତୀୟ ସ୍ଥାନରେ ରହିଛି ।