ଗୁରୁ-ଶିଷ୍ୟ ପରମ୍ପରା ଜନମାନସରେ ଉଜ୍ଜୀବିତ ରହୁ

ଭୁବନେଶ୍ୱର: ୬/୯ – ଓଡିଶା ପରମ୍ପରା ଓ ସଂସ୍କୃତି ପାଇଁ ସାରା ବିଶ୍ୱରେ ପରିଚିତ । ବାର ମାସରେ ତେର ପର୍ବ ପାଳନ କରୁଥିବା ଓଡିଶାବାସୀଙ୍କ ଗୁରୁ-ଶିଷ୍ୟ ପରମ୍ପରାକୁ ସାରାଦେଶ ଓ ବିଶ୍ୱର ଜନମାନସରେ ଉଜ୍ଜୀବିତ ରଖିବା ଉଦ୍ଦେଶ୍ୟରେ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ସତ୍ୟସାଇ ଅଡିଟୋରିଅମ୍ ପରିସରରେ ନୃତ୍ୟ ଭିତ୍ତିକ କାର୍ଯ୍ୟକ୍ରମ ‘ପରମ୍ପରା’ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ କେନ୍ଦ୍ର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏବଂ ଓଡିଶାର ମାନ୍ୟବର ସାଂସଦ ଡଃ ପ୍ରସନ୍ନ କୁମାର ପାଟ୍ଟଶାଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ପଦ୍ମଭୂଷଣ ଯତିନ୍ ଦାସ, ପଦ୍ମଶ୍ରୀ ମାଧବୀ ମୁଦ୍ଗଲ, ଏବଂ ବିଶିଷ୍ଟ ନୃତ୍ୟଶିଳ୍ପୀ ଜୟପ୍ରଭା ମେନନ୍ ପ୍ରମୁଖ ଯୋଗଦେଇଥିଲେ । ଗୁରୁ ସୁଜାତା ମହାପାତ୍ରଙ୍କର ଦିଗ୍ଦର୍ଶନରେ ଗୁରୁଶିଷ୍ୟ ପରମ୍ପରା ନିଦର୍ଶନ ସ୍ୱରୂପ ପ୍ରସ୍ତୁତ ହୋଇଥିଲା ନୃତ୍ୟାଭିନୟ ‘ଆଦ୍ୟାନ୍ତ’ ।

ଏହି ଅବସରରେ ଭାରତର ବିଭିନ୍ନ ନୃତ୍ୟଶିଳ୍ପୀମାନଙ୍କୁ ନେଇ ଏକ କଥୋପକଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପଦ୍ମଭୂଷଣ ଗୁରୁ ସରୋଜ ବୈଦନାଥ (ଭାରତନାଟ୍ୟମ୍), ପଦ୍ମଶ୍ରୀ ଗୁରୁ ସୋଭନା ନାରାୟନ୍ (କଥକ), ପଦ୍ମଶ୍ରୀ ଗୁରୁ ଜୟରାମ ରାଓ, ଗୁରୁ ବାଣିଶ୍ରୀ ରାଓ (କୁଚିପୁଡି), ପଦ୍ମଶ୍ରୀ ଗୁରୁ ଭାରତୀ ଶିବାଜୀ (ମୋହୀନି ନାଟ୍ୟମ୍), ପଦ୍ମଶ୍ରୀ ଗୁରୁ ଗୀତା ମହାଲିକ୍ (ଓଡିଶୀ) ପ୍ରମୁଖ ଯୋଗଦେଇ ଶିଷ୍ୟରୁ କିପରି ଗୁରୁ ହୋଇଛନ୍ତି ଓ ନୃତ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ନୃତ୍ୟ କେବଳ ଦର୍ଶର୍କଙ୍କ ପାଇଁ ନୁହେଁ, ଏହା ଦେଶର ପରମ୍ପରାକୁ ବଜାୟ ରଖେ । ଏହି କାର୍ଯ୍ୟକ୍ରମକୁ ସାମ୍ବାଦିକ ଦିକ୍ଷା ତିୱାରି ପରିଚାଳନା କରିଥିଲେ । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଗୋବିନ୍ଦ ଦାସ, ସୁର୍ଯ୍ୟ ରଥ, କବିତା ଦ୍ୱିବେଦ, ଅଶୌମି ଦତ୍ତ ବ୍ୟକ୍ତି ବିଶେଷଙ୍କୁ ପୁରସ୍କୃତ କରାଯାଇଥିଲା । ମହିଳା ସଶକ୍ତିକରଣ, ଶିଶୁ ଶିକ୍ଷା ବିକାଶ ଓ ବିଭିନ୍ନ ସାମାଜିକ କ୍ଷେତ୍ରରେ କାମ କରୁଥିବା ପରିଚୟ ଫାଉଣ୍ଡେସନ୍ ଆଗାମୀ ଦିନରେ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ସହିତ ଅଧିକ ଯୁବପିଢ଼ୀଙ୍କୁ ସାମିଲ କରି ବିଶ୍ୱଦରବାରରେ ପହଞ୍ଚାଇବାକୁ ପ୍ରତିଷ୍ଠାତ୍ରୀ ରୋଜାଲିନ୍ ପାଟ୍ଟଶାଣୀ ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *