ରାହୁଲ ଗାନ୍ଧି: ଦେଶର ବେକାରୀ ସମସ୍ୟା ଉପରେ ମୋଦି ନୀରବ
ଭୁବନେଶ୍ୱର, ଅପ୍ରେଲ ୨୬: ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୬ଟି ଲୋକସଭା ଏବଂ ବିଧାନସଭା ଆସନରେ ନିର୍ବାଚନ ନିମନ୍ତେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ବାଲେଶ୍ୱରର ରେମୁଣାଠାରେ ଆୟୋଜିତ ବିଶାଳ ଜନସମାବେଶରେ ଉଦ୍ବୋଧନ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଓଡ଼ିଶାବାସୀଙ୍କୁ ନିବେଦନ କରିଛନ୍ତି । ଶ୍ରୀ ଗାନ୍ଧୀ ତାଙ୍କ ଭାଷଣରେ କେନ୍ଦ୍ରର ବିଜେପି ସରକାରଙ୍କ ଉପରେ ବର୍ଷିବା ସହିତ ନରେନ୍ଦ୍ର ମୋଦିଙ୍କ ସରକାର କେବଳ କୋଟିପତିଙ୍କ ସ୍ୱାର୍ଥରକ୍ଷାରେ ଲାଗିଛନ୍ତି ବୋଲି କହିଥିଲେ ।
ନିଜର ଅଭିଭାଷଣ ଆରମ୍ଭକରି ରାହୁଲ କହିଲେ, ଦେଶରେ ଏବେ କୋଟିକୋଟି ସଂଖ୍ୟାରେ ବେକାର ଯୁବକ ଯୁବତୀ ଅଛନ୍ତି । ସେମାନଙ୍କ ପାଇଁ କୌଣସି କର୍ମସଂସ୍ଥାନ ନାହିଁ । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ବର୍ଷକୁ ୨କୋଟି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ତାହା କେବଳ ପ୍ରତିଶ୍ରୁତିରେ ରହିଗଲା । ଏବେ ପ୍ରଧାନମନ୍ତ୍ରୀ ଦେଶର ବେକାର ସମସ୍ୟା ଉପରେ ସମ୍ପୂର୍ଣ୍ଣ ନୀରବ । ରାହୁଲ କହିଥିଲେ କଂଗ୍ରେସ ଦଳ ଦେଶର ବେକାର ଯୁବଗୋଷ୍ଠୀଙ୍କୁ କର୍ମନିଯୁକ୍ତି ଯୋଗାଇଦେବା ପର୍ଯ୍ୟନ୍ତ ସେମାନଙ୍କୁ ନିଶ୍ଚିତ ଆୟର ଗ୍ୟାରେଣ୍ଟି ଦେବ । ୨୫ କୋଟି ଲୋକଙ୍କ ଆକାଉଣ୍ଟକୁ କଂଗ୍ରେସ ସିଧାସଳଖ ଟଙ୍କା ଦେବାକୁ ପ୍ରତିଶ୍ରୁତିବଦ୍ଧ । ପ୍ର୍ରତି ପରିବାରକୁ ୭୨ ହଜାର ଟଙ୍କା ଦିଆଯିବ । ଓଡ଼ିଶା, ବିହାର ଭଳି ଗରିବ ରାଜ୍ୟଗୁଡିକୁ ଅଗ୍ରାଧିକାର ଭିତ୍ତିରେ ଏହି ଟଙ୍କା ଆଗ ଦିଆଯିବ । ଦେଶର ୫କୋଟି ମହିଳାଙ୍କ ଆକାଉଣ୍ଟକୁ ମଧ୍ୟ ଏହି ଟଙ୍କା ଯିବ । କଂଗ୍ରେସ ସରକାର କଲେ ଦେଶରେ ଗରିବୀ ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବ ବୋଲି ରାହୁଲ କହିଥିଲେ ।
କଂଗ୍ରେସ ସଭାପତି କହିଲେ, କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନ୍ୟାୟ ଯୋଜନାରେ ୫କୋଟି ପରିବାର ଉପକୃତ ହେବେ । କେବଳ ସେତିକି ନୁହେଁ, କଂଗ୍ରେସ ସରକାର ଗଠନ କଲେ ଦେଶରେ ଚାଷୀଙ୍କ ପାଇଁ ନୂଆ ଆଇନ ପ୍ରଣୟନ କରାଯିବ । ଋଣ ପରିଶୋଧ କରିପାରୁନଥିବା ଚାଷୀଙ୍କୁ ଆଉ ଜେଲ୍ ଯିବାକୁ ପଡିବନାହିଁ । ସେମାନଙ୍କ ସମସ୍ୟା ସରକାର ଅନୁଧ୍ୟାନ କରିବେ । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସହିତ କୃଷିଜାତ ସାମଗ୍ରୀ ମହଜୁଦ ପାଇଁ ଶୀତଳଭଣ୍ଡାର ଏବଂ ପ୍ରକ୍ରିୟାକରଣ ପାଇଁ ଉଦ୍ୟୋଗ ସ୍ଥାପନ କରାଯିବ । ଏଥିସହିତ ଦେଶର କୋଟିକୋଟି ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ କଂଗ୍ରେସ ସରକାର ପଦକ୍ଷେପ ଗ୍ରହଣ କରିବେ । ଦେଶରେ ସମତୁଲ ବିକାଶ ଘଟିବ ବୋଲି ରାହୁଳ କହିଥିଲେ ।
ଏହି ନିର୍ବାଚନୀ ସଭାରେ ବାଲେଶ୍ୱର ସଂସଦୀୟ ଆସନରୁ କଂଗ୍ରେସ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନବଜ୍ୟୋତି ପଟନାୟକ, ପିସିସି ସଭାପତି ନିରଂଜନ ପଟନାୟକ, ଛତିଶଗଡ ମନ୍ତ୍ରୀ ଟି ଏସ ସିଂଦେଓ, ବାଲେଶ୍ୱର ଜିଲାର ବିଭିନ୍ନ ବିଧାନସଭା ଆସନରୁ ଦଳୀୟ ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ, ଦଳର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।