ନମୁନା ସଂଗ୍ରହରେ ନିଆଯିବ ପୋଲିସ ସହାୟତା
ଭୁବନେଶ୍ୱର: ରାଜ୍ୟରେ କରୋନା ପରୀକ୍ଷାକୁ କଡାକଡି କରାଯାଇଛି । ଭୁବନେଶ୍ୱର ହଟ୍ ସ୍ପଟ ହୋଇଥିବାରୁ ଏଠାରେ ନମୁନା ସଂଗ୍ରହ ଓ ପରୀକ୍ଷଣକୁ କଡାକଡି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି । ସଂଦିଗ୍ଧ ନମୁନା ସଂଗ୍ରହ ସମୟରେ ସରକାରଙ୍କୁ ସହାୟତା ନକଲେ ଆବଶ୍ୟକ ପଡିଲେ ପୋଲିସର ସହାୟତା ନିଆଯିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି । ଏପରିକି ଆସନ୍ତା ସପ୍ତାହକ ମଧ୍ୟରେ କେବଳ ରାଜଧାନୀରେ ୫ହଜାର ନମୁନା ପରୀକ୍ଷାର ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ପ୍ରକାଶ କରିଛନ୍ତି ।
ଲକ୍ଷଣ ଭିତ୍ତିରେ ପରୀକ୍ଷଣ ସହ ଯେଉଁମାନଙ୍କର ଗସ୍ତ ଇତିହାସ ରହିଛି ସେମାନଙ୍କୁ ପ୍ରାଥମିକତା ଦିଆଯାଇ ସେମାନଙ୍କର ନମୁନା ପରୀକ୍ଷା କରାଯିବ । କେବଳ ସେତିକି ନୁହେଁ କରୋନା ମୁକାବିଲାରେ ଯୋଦ୍ଧା ସାଜିଥିବା ସ୍ୱାସ୍ଥ୍ୟକର୍ମୀ ପୋଲିସ କର୍ମୀ ଓ ସଫେଇ କର୍ମୀମାନଙ୍କର ମଧ୍ୟ ନମୁନା ପରୀକ୍ଷା କରାଯିବ । ପରେ ପରେ ଏହି ଜରୁରୀକାଳୀନ ସମୟରେ ଲୋକଙ୍କୁ ସେବାଯୋଗାଇଥିବା ତେଜରାତୀ ଦୋକାନୀ, ଦୁଗ୍ଧ ଦୋକାନୀ ମାନଙ୍କର ମଧ୍ୟ ଅଗ୍ରାଧିକାର ଭିତ୍ତିରେ ପରୀକ୍ଷା କରାଯିବ । ବୟସ୍କ ବ୍ୟକ୍ତି ଏବଂ ଯେଉଁମାନେ ସମ୍ବେଦନାଶୀଳ ରୋଗରେ ପିଡୀତ ଥିବେ ସେମାନଙ୍କର ମଧ୍ୟ ପରୀକ୍ଷଣ ହେବ । ଯଦି କୌଣସି ବ୍ୟକ୍ତି ନମୁନା ସଂଗ୍ରହ କିମ୍ବା ପରୀକ୍ଷାରେ ସହଯୋଗ ନକନ୍ତି ତେବେ ରାଜ୍ୟ ସରକାର ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଏପରିକି ପୋଲିସର ସହାୟତା ନେଇ ସେମାନଙ୍କର ନମୁନା ସଂଗ୍ରହଠାରୁ ଆରମ୍ଭ କରି ପରୀକ୍ଷାକରିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।
କରୋନା ସଂକ୍ରମଣକୁ ଦୁରେଇ ରଖିବା ପାଇଁ ସର୍ବସାଧାରଣରେ ଛେପ ପକାଇବାକୁ ମଧ୍ୟ ବାରଣ କରାଯାଇଛି । ସର୍ବସାଧାରଣରେ ଛେପ ପକାଇଲେ ପ୍ରଥମ ତିନିଥର ପାଇଁ ଦୁଇଶହ ଟଙ୍କା ଜରିମାନା ଆଦାୟ କରାଯିବ ଏବଂ ପରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ସେ କହିଛନ୍ତି ।