ପୁଣି ମୋଦିଙ୍କୁ ସମର୍ଥନ କଲେ ନବୀନ, ଏକକାଳୀନ ନିର୍ବାଚନକୁ ସବୁଜ ସଂକେତ
ସମଦୂରତାର ଡିଣ୍ଡିମ ପିଟୁଥିବା ନବୀନ ପଟ୍ଟନାୟକ ପୁଣି ମୋଦି ସରକାରଙ୍କୁ ସମର୍ଥନ ଜଣାଇଛନ୍ତି | ଏକକାଳୀନ ନିର୍ବାଚନକୁ ନବୀନ ସମର୍ଥନ ଜଣାଇବା ସହ ମୋଦିଙ୍କ ସ୍ଵରରେ ତାଳ ମିଶାଇଛନ୍ତି | ସେ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ । କିନ୍ତୁ ପ୍ରତିବର୍ଷ ନିର୍ବାଚନ ହେଉଥିବାରୁ ଲୋକଙ୍କ ପାଇଁ କାମ କରିବାକୁ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଏକକାଳୀନ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଆମେ ସମର୍ଥନ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ଏକକାଳୀନ ନିର୍ବାଚନ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ମତାମତ ଲାଗି ଲ’ କମିଶନ ଏକ ପତ୍ରଲେଖିଥିଲା । ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସମଦୂରତାର କଥା କହୁଥିବା ନବୀନ କିନ୍ତୁ ବହୁ କ୍ଷେତ୍ରରେ ମୋଦି ସରକାରଙ୍କର ନିଷ୍ପତିରେ ସମ୍ମତି ଜଣାଇଛନ୍ତି | ଯାହା ନବୀନଙ୍କର ମୋଦିଙ୍କ ପ୍ରତି ଥିବା ସମର୍ଥନ ହେଉ କିମ୍ଵା ଭୟକୁ ସ୍ପଷ୍ଟ କରୁଛି ଦେଶରେ ଏକକାଳୀନ ନିର୍ବାଚନ କରିବା ଲାଗି କେନ୍ଦ୍ରର ମୋଦି ସରକାର ଦେଇଥିବା ପ୍ରସ୍ତାବକୁ ଦେଶର କିଛି ରାଜନୈତିକ ଦଳ ସମର୍ଥନ କରୁଥିବାବେଳେ ଆଉ କିଛି ବିରୋଧ କରୁଛନ୍ତି । ହେଲେ ଏହାକୁ ପୂର୍ବରୁ ଲ’ କମିଶନ ସମର୍ଥନ କରିସାରିଛି । କମିଶନର ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇପାରିବ । ଆୟୋଗର ସୁପାରିଶ ଅନୁସାରେ ୨୦୧୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ଏହାକୁ ଲାଗୁ କରାଯାଇପାରେ । ଏଥିପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ କରାଯିବାକୁ ସୁପାରିଶ କରାଯାଇଛି । ଏହି ଚିଠା ସୁପାରିଶ ଅନୁସାରେ ୨୦୧୯ରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର,ଆସାମ, ବିହାର,ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ନିର୍ବାଚନ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ୨୦୧୪ରେ ଲୋକସଭା ନିର୍ବାଚନ ସହ ଏସବୁ ରାଜ୍ୟ ତାଲିକାରେ ସହ ଦିଲ୍ଲୀ, ଉତ୍ତରପ୍ରଦେଶ,ଗୁଜରାଟ, କର୍ଣ୍ଣାଟକ ଓ ପଂଜାବକୁ ଯୋଗ କରାଯିବ । ଏହି ସମୟ ସହ ତାଳ ଦେବା ପାଇଁ ସଂପୃକ୍ତ ରାଜ୍ୟମାନଙ୍କ ବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ ୫ ବର୍ଷ ମଝିରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତା ପରେ ଏକ ଆସ୍ଥା ପ୍ରସ୍ତାବ (ବିରୋଧୀ ଦଳ ପାଇଁ) ମଧ୍ୟ ଆସିବ । ଏହା ଦ୍ୱାରା ଯଦି ଏକ ବିକଳ୍ପ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥାଏ ତେବେ ସରକାର ଭଙ୍ଗାଯାଇପାରିବ ନାହିଁ ।