ପୁଣି ୮୦ଜଣ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୧୯
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । ଆଜି ପୁଣି ୮୦ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଫଳରେ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି । ନୂତନ ଭାବେ ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।
ଚିହ୍ନଟ ମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୯ଜଣ ରହିଥିବା ବେଳେ ଯାଜପୁରରୁ ୧୪ଜଣ, ବାଲେଶ୍ୱରରୁ ୩ଜଣ, ପୁରୀ ୧୭ଜଣ, କଟକରୁ ଜଣେ, ସୁନ୍ଦରଗଡ଼, ମାଲକାନାଗିରି ଓ ନୟାଗଡ଼ରୁ ୫ଜଣ ଲେଖାଏଁ, ବଲାଙ୍ଗିର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ, କନ୍ଧମାଳରୁ ଦୁଇଜଣ, ଗଜପତିରୁ ୪ଜଣ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ୩ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ବ୍ୟକ୍ତିମାନଙ୍କ ମଧ୍ୟରୁ ୭୧ଜଣ କ୍ୱାରେଣ୍ଟାଇନ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ଦୁଇଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସେହିପରି ୭ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି ।
ଏହି ନୂତନ ରୋଗୀ ଚିହ୍ନଟ ଫଳରେ ରାଜ୍ୟରେ ମୋଟ କରୋନା ରୋଗୀଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଥିବା ବେଳେ ୮୨୬ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ୪୩୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟର ସର୍ବାଧିକ କରୋନା ରୋଗୀ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି । ଗଞ୍ଚାମରୁ ମୋଟ ୩୪୧ଜଣ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ରହିଛି ଯାଜପୁର ଜିଲ୍ଲା । ଏଠାରେ ୨୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାଜପୁର ତଳକୁ ରହିଛି ବାଲେଶ୍ୱର, ଏଠାରେ ୧୨୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।