ପ୍ରଦୀପ ଦାସ ଇରେଡାର ନୂଆ ସି.ଏମ.ଡି

ନୂଆଦିଲ୍ଲୀ: ବରିଷ୍ଠ କଷ୍ଟ ଆକାଉଟାଣ୍ଟ ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ରିନୁଏବୁଲ ଏନେର୍ଜି ଡେଭେଲପମେଣ୍ଟ ଏଜେନସି ଲିମିଟେଡ଼ (ଇରେଡା)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସି.ଏମ.ଡି) ଭାବେ ପଦଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ଶ୍ରୀ ଦାସ ଇଣ୍ଡିଆନ ଟୁରିଜିମ ଡେଭେଲପମେଣ୍ଟ କର୍ପୋରେସନ (ଆଇ.ଟି.ଡି.ସି)ର ବିତ୍ତ ନିର୍ଦେଶକ ଓ ମୁଖ୍ୟ ଆର୍ଥିକ ଅଧିକାରୀ ପଦବୀରେ ଆସୀନ ଥିଲେ ।

ଆଇ.ଟି.ଡି.ସିର ଡ଼ିଏଫ୍ ଭାବରେ ସେ କମ୍ପାନୀର ଆର୍ଥିକ ପରିଚାଳନା ଖୁବ୍ ପାରଦର୍ଶୀ ଓ ବଳିଷ୍ଠ ଢଙ୍ଗରେ ସଂଗଠିତ କରିବା ସାଙ୍ଗକୁ ଏହି ସଂସ୍ଥାକୁ ନାସନାଲ ଷ୍ଟକ ଏକ୍ସଚେଞ୍ଜ ରେ ଟ୍ରେଡ଼ ଫର ଟ୍ରେଡ଼ ଶୈଳୀରେ ଵ୍ୟାପାର କରିବା ପାଇଁ ଯୋଗ୍ୟ ବିବେଚିତ କରାଇ ପାରିଥିଲେ । ଏହା ସହିତ ଆଇ.ଟି.ଡି.ସି ଅଧିନସ୍ଥ ହୋଟେଲ ମାନଙ୍କରେ ପୁଞ୍ଜି ପ୍ରତ୍ୟାହାର ସୁଚାରୁ ରୂପେ ସମ୍ପର୍ଣ୍ଣ କରିବାରେ ସେ ଉଲେଖ୍ୟ ଯୋଗ୍ୟ ଭୂମିକା ଗ୍ରହଣ କରିଥିଲେ ।

ଏହା ପୂର୍ବରୁ ଶ୍ରୀ ଦାସ ଆର୍.ଇସି.ଭେଲ, ଏନ ପି.ସି, ଆଇ.ଏଲ , ବି.ଏଚ୍.ଏଫ.ଭି ଓ କେ.ପି.ଏଲ ଆଦି ସଂସ୍ଥାର ଗୁରୁତ୍ୱପୂର୍ଣ ପଦ ପଦବୀ ମାନଙ୍କରେ ରହି ଜଣେ ଓଡ଼ିଆ ଅଧିକାରୀ ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି । ବିଶେଷ କରି ଦ୍ରବ୍ୟ ଉତ୍ପାଦନ, ନୀତି ନିର୍ଦ୍ଧାରଣ ତଥା ପ୍ରଣୟନ ବାବଦରେ ତାଙ୍କର ନୂତନତ୍ୱ ଚିନ୍ତାଧାରା, ଫଳପ୍ରସ୍ୱ ପ୍ରୟୋଗାତ୍ମକ ଶୈଳୀ, ଗଛିତ ସମ୍ବଳର ସମ୍ପୂର୍ଣ ଗୁଣାତ୍ମକ ବିନିଯୋଗ ଏବଂ ବ୍ୟାପାର, କାରବାର ଓ ରି ଇଂଜିନିରିଂ କ୍ଷେତ୍ରରେ ତାଙ୍କର ଯୁଗାନ୍ତକାରୀ ପଦକ୍ଷେପ କର୍ପୋରେଟ ଜଗତରେ ବେଶ ଆଦୃତ ହୋଇଛି ।

ଇରେଡାର ସର୍ବୋଚ୍ଚ ପଦବୀରେ ଯୋଗଦେବା ପରେ ଏହାର କର୍ମଚାରୀ ମାନଙ୍କୁ ସମ୍ବୋଧନ କରି ଶ୍ରୀ ଦାସ, ରାଷ୍ଟ୍ରର ଶକ୍ତି ସୁରକ୍ଷା ଦିଗରେ ଇରେଡା ଖୁବ ପ୍ରଭାବଶାଳୀ ଯୋଗଦାନ ପ୍ରଦାନ କରିବ ବୋଲି ଦମ୍ଭ ପ୍ରକାଶ କରିଥିଲେ ।

ଯାଜପୁର ଜିଲ୍ଲାର ରଣପୁର ନିବାସୀ ଶ୍ରୀ ଦାସ ଶ୍ରୀଵନ୍ତ ହାଇସ୍କୁଲରେ ତାଙ୍କର ଶିକ୍ଷା ସମାପ୍ତ କରି କୋଲକାତା ବିଶ୍ୱବିଦ୍ୟାଳୟରୁ ଵିକମ ଅନର୍ସରେ ଡିଗ୍ରୀ ଲାଭ କରିଥିଲେ । ଏହାପରେ ସେ ଇନ୍ନ୍ଷ୍ଟିଟ୍ୟୁଟ୍ ଅଫ କଷ୍ଟ ଆକାଉଟାଣ୍ଟ ଅଫ୍ ଇଣ୍ଡିଆର ଫେଲୋ ଓ ଇନ୍ଷ୍ଟିଟ୍ୟୁଟ୍ ଅଫ୍ କମ୍ପାନୀ ସେକ୍ରେଟେରୀଜ୍ ଅଫ ଇଣ୍ଡିଆର ସହଯୋଗୀ ସଦସ୍ୟ ହେବାର ମାନ୍ୟତା ହାସଲ କରିବା ସାଙ୍ଗକୁ ଭୁବନେଶ୍ୱର ସ୍ଥିତ ଜାଭିଅର ଇନ୍ଷ୍ଟିଟ୍ୟୁଟ ଅଫ ମ୍ୟାନେଜେମେଣ୍ଟରୁ ମ୍ୟାନେଜେମେଣ୍ଟ୍ ରେ ପି.ଜି ଡିପ୍ଲୋମା ଗ୍ରହଣ କରିବାର ଯୋଗ୍ୟତା ଅର୍ଜନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *