ପ୍ରବାସୀ ଓଡ଼ିଆ ପାଳିଲେ ଉତ୍କଳ ଦିବସ

ଭୁବନେଶ୍ୱର, ଅପ୍ରେଲ ୩୦: ସେମାନେ ପ୍ରବାସୀ ଓଡ଼ିଆ । ଓଡ଼ିଶା ଛାଡି ଅନ୍ୟ ରାଷ୍ଟ୍ରରେ ରହୁଥିଲେ ମଧ୍ୟ ଓଡ଼ିଆ ଭାଷା କିମ୍ବା ସଂସ୍କୃତିକୁ ଭୁଲି ପାରିନାହାନ୍ତି । ଓଡ଼ିଆ ପରମ୍ପରା ସହ ସେମାନେ ଜଡିତ ହୋଇ ଅନ୍ୟ ରାଷ୍ଟ୍ରରେ ଓଡ଼ିଆ ପର୍ବପର୍ବାଣୀ ତଥା ରାଷ୍ଟ୍ରୀୟ ଦିବସ ପାଳନ କରିବାକୁ ମଧ୍ୟ ଭୁଲିନାହାନ୍ତି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କତି, ପରମ୍ପରା, ଚାଲିଚଳଣ ଇତ୍ୟାଦିକୁ ଅନ୍ୟ ରାଷ୍ଟ୍ରରେ ପ୍ରତିପାଦିତ କରି ସେମାନେ ନିଜକୁ ଓଡ଼ିଆ ବୋଲି ଗର୍ବ ଅନୁଭବ କରିଥାନ୍ତି । ଏହି କ୍ରମରେ ପ୍ରବାସୀ ଓଡ଼ିଆ ସମାଜ ଆବୁଧାବି ପକ୍ଷରୁ ୟୁଏଇର ରାଜଧାନୀ ଆବୁଧାବି ଠାରେ ମହା ସମାରୋହରେ ଉତ୍କଳ ଦିବସ ପାଳିତ ହୋଇଯାଇଛି ।

ଆବୁଧାବିର ଇଣ୍ଡିଆନ ସୋସିଆଲ କଲଚରାଲ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାରତର ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଦିପକ ମିଶ୍ର ଯୋଗ ଦେଇଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ବଲିଉଡ୍ ଅଭିନେତ୍ରୀ ନନ୍ଦିତା ଦାସ ଯୋଗଦେଇଥିଲେ । ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଝଲକ ଦେଖିବାକୁ ମିଳିଥିଲା । ଏଥିରେ ପ୍ରବାସୀ ଓଡ଼ିଆ ତଥା କୁନି କୁନି ପିଲାମାନଙ୍କ ଦ୍ୱାରା ଚିତ୍ତାକର୍ଷକ ନୃତ୍ୟଗୀତ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ଓଡ଼ିଶାରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହୋଇଥିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର, କଣ୍ଠଶିଳ୍ପୀ ଶଶାଙ୍କ ଶେଖର ଓ ଅନ୍ୟମାନେ । ନିଜର କଳାକୌଶଳ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ପ୍ରବାସୀ ଓଡ଼ିଆ ସମାଜର ସଭାପତି ଦୀପକ ଦାସ, ଉପସଭାପତି ପ୍ରଶାନ୍ତ ସାହୁ, ସାଧାରଣ ସମ୍ପାଦକ ହେମନ୍ତ କୁମାର ସିଂହଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ସଂଘର ଉପଦେଷ୍ଟା ଜ୍ଞାନ ମହାନ୍ତି, ସଞ୍ଜିତ ରାୟ, ସଦସ୍ୟ କୁଳମଣି ପଟ୍ଟନାୟକ, ବାଳକୃଷ୍ଣ ଗୁପ୍ତା, ପାର୍ଥ ରାୟ, ଏହେସାନ ଅହମ୍ମଦ, କୋଷାଧ୍ୟକ୍ଷ ସୁଶିମ ସ୍ୱାଇଁ, ମୁଖ୍ୟ ସଂଯୋଜକ ଆଜମୁଲ ହକ୍, ମନୋଜ ପାଣିଗ୍ରାହୀ, ସାଂସ୍କୃତିକ ସମ୍ପାଦକ ବିଶ୍ୱବିଜୟ ମହାନ୍ତି, ସଦସ୍ୟ ଅମିତ୍ ନାୟକ, ଯୁଗ୍ମ ସମ୍ପାଦକ ଦିଲିପ ଦାସ, ସଦସ୍ୟ ଶେଖ ଜାଫର ଇକ୍ୱିବାଲ ପ୍ରମୁଖ ପରିଚାଳନା କରିଥିଲେ ବୋଲି ଏହେସାନ୍ ଅହମ୍ମଦ୍ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *