ବିଜେପି ଦେଶବାସୀଙ୍କୁ ଭ୍ରମିତ କରୁଛି: ବିଜେଡି

ଭୁବନେଶ୍ୱର, ଏପ୍ରିଲ୍ ୧୬: ବିଜେପି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ଘୋଷଣା କରିଥିଲା । ୨୦୧୯ ଇସ୍ତାହାରରେ ତାହା ନାହିଁ । ବିଜେପି କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ରାଜ୍ୟ ତଥା ଦେଶବାସୀଙ୍କୁ ଭ୍ରମିତ କରୁଛି ବୋଲି କହିଛି ବିଜେଡି ।

ବିଜେଡି ମୁଖପାତ୍ର ତଥା ଆଇଟି ସେଲ୍ ଅଧ୍ୟକ୍ଷ ଅମର ପଟ୍ଟନାୟକ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଦେଶବାସୀଙ୍କ ସହ ସାଢେ ୪ କୋଟି ଓଡ଼ିଆଙ୍କୁ ପ୍ରତାରିତ କରିଛି କେନ୍ଦ୍ରର ବିଜେପି ସରକାର । ବର୍ଷକୁ ୨ କୋଟି ନିଯୁକ୍ତି ଏବଂ ୫ବର୍ଷରେ ୧୦ କୋଟି ନିଯୁକ୍ତି ଦେବାରେ ବିଜେପି ବିଫଳ ହୋଇଛି ।

ସେହିପରି ଜଳସେଚନ ଓ ବିମାନବନ୍ଦର ନେଇ ମଧ୍ୟ ବିଜେପି ମିଥ୍ୟା ପ୍ରତିଶ୍ରୁତି ଦେଇଛି । କେବଳ ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ଏଭଳି ମିଥ୍ୟା ପ୍ରତିଶ୍ରୁତି ଦେଉଛି । ତେଣୁ ଭୋଟରମାନେ ବିଜେପିର ସୁନେଲୀ ସ୍ୱପ୍ନ ଭଳି ପ୍ରତିଶ୍ରୁତିରେ ବିଶ୍ୱାସ ନକରିବାକୁ ସେ କହିଛନ୍ତି ।

କେନ୍ଦ୍ରରେ ଥିବା ବିଜେପି ସରକାରର ଶୀର୍ଷ ନେତାମାନେ ବାରମ୍ବାର ଓଡ଼ିଶାକୁ ଆସି ରାଜ୍ୟବାସୀଙ୍କୁ ଭୂଆଁ ବୁଲାଉଛନ୍ତି । ଭୋଟ ବେଳକୁ କେବଳ ଦେଖା ମିଳୁଛି । ଭୋଟ ପରେ ଓଡ଼ିଶାବାସୀଙ୍କୁ ଭୁଲି ଯାଉଛନ୍ତି ବୋଲି ଅଭିଯୋଗ କରିଛି ବିଜେଡି ।

ବିଜେପି ମିଛ ଓ ଜୁମଲାବାଜି କରିବାରେ ଅଭ୍ୟସ୍ତ, କଥା ଆଜି ସମସ୍ତେ ଜାଣିସାରିଛନ୍ତି । ବିଜେପି ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ଜବାବ ଦେବାକୁ ଓଡ଼ିଶାବାସୀ ପ୍ରସ୍ତୁତ ହୋଇସାରିଛନ୍ତି । ଏଥର ନିର୍ବାଚନରେ ସେମାନଙ୍କର ବିପର୍ଯ୍ୟସ୍ତ ସହ ମିଥ୍ୟା ଓ ଜୁମଲାବାଜି ଖତମ୍ ହେବ । ଯାହା ଓଡ଼ିଶାବାସୀ ଅପେକ୍ଷା କରି ରହିଛନ୍ତି ବୋଲି ସେ କହିଛନ୍ତି ।

ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ମୁଖପାତ୍ର ଲେଲିନ୍ ମହାନ୍ତି, ଡ. ସସ୍ମିତ୍ ପାତ୍ର, ପ୍ରିୟଦର୍ଶୀ ମିଶ୍ର, ସୁଲତା ଦେଓ ଏବଂ ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *