ବିଶ୍ୱର ପ୍ରଥମ କରୋନା ଟିକା ସଫଳ!
ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେ କରୋନା ଭୂତାଣୁର କରାଳ ଗ୍ରାସ ମଧ୍ୟରେ ରହିଥିବା ବେଳେ ଏବେ ଆସିଛି ସାମାନ୍ୟ ଆଶ୍ୱସ୍ତି । ବିଶ୍ୱ ସମୁଦାୟ ଏହାର ଔଷଧ ଓ ଟୀକା ପାଇଁ ଦିନରାତି ଏକ କରିଥିବା ବେଳେ ରୁଷିଆରୁ ଆସିଛି ଖୁସିର ଖବର । ରୁଷିଆର ସିଚେନୋଭ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଦାବି କରାଯାଇଥିବା ବେଳେ ଯେଉଁ ସ୍ୱେଚ୍ଛାସେବୀ ମାନଙ୍କ ଉପରେ ଏହି ଟୀକା ପ୍ରୟୋଗ କରାଯାଇଥିଲା ସେମାନଙ୍କୁ ଖୁବ ଶୀଘ୍ର ଡିସଚାର୍ଜ କରାଯିବ ବୋଲି ମଧ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଚୀନରୁ ଉତ୍ପନ୍ନ ହୋଇଥିବା କିଲର କରୋନା ଭାଇରସକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସମଗ୍ର ବିଶ୍ୱ ଲାଗିଥିବା ବେଳେ ଭାରତ ସମେତ ବହୁ ରାଷ୍ଟ୍ର ଏହାର ଟୀକା ପ୍ରସ୍ତୁତିରେ ଲାଗି ପଡିଥିଲେ । ବିଶେଷ କରି ଆମେରିକା ଓ ୟୁରୋପ ଟୀକା ପ୍ରସ୍ତୁତିରେ ଆଗୁଆ ଥିବା ଖବର ପ୍ରକାଶ ପାଇଥିଲା । ମାତ୍ର ଇତି ମଧ୍ୟରେ ରୁଷିଆର ସିଚେନୋଭ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତ ହୋଇଥିବା କୋଭିଡ ୧୯ର ଟୀକା ଗତ ଜୁନ ୧୮ତାରିଖ ଠାରୁ ଏହାର କ୍ଲିନିକାଲ୍ ଟ୍ରାଏଲ୍ ଆରମ୍ଭ କରିଥିଲା । ଦୁଇଗୋଟି ପର୍ଯ୍ୟାୟରେ ଏହା ସ୍ୱେଚ୍ଛାସେବୀ ମାନଙ୍କୁ ଟୀକା ପ୍ରଦାନ କରିଥିଲା । ସ୍ୱେଚ୍ଛାସେବୀଙ୍କୁ ପ୍ରଦାନ କରାଯାଇଥିବା ଟୀକା ସଫଳ ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟ ସ୍ୱେଚ୍ଛାସେବୀ ମାନଙ୍କୁ ଆସନ୍ତା ବୁଧବାର ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ଟୀକା ପ୍ରଦାନ କରାଯାଇଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଆସନ୍ତା ୨୦ତାରିଖ ଦିନ ଡିସଚାର୍ଜ୍ କରାଯିବ ବୋଲି ଟ୍ରାନ୍ସଲେସନାଲ୍ ମେଡିସିନ୍ ଆଣ୍ଡ ବାୟୋଟେକ୍ନୋଲଜିର ନିର୍ଦ୍ଦେଶକ ଭାଦିମ ତାରାସୋଭ୍ ପ୍ରକାଶ କରିଛନ୍ତି ।
ଏହି ଟୀକା ସଫଳ ହେବା ନେଇ ରୁଷିଆ ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ବିଶ୍ୱରେ ମୋଟ ପ୍ରସ୍ତୁତ ହେଉଥିବା ୧୧୮ଗୋଟି ଟୀକା ମଧ୍ୟରୁ ୮ଟି ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଅନ୍ୟ ୧୧୦ଟି ବିଭିନ୍ନ ପର୍ଯ୍ୟାୟରେ ରହିଛି । କେବଳ ସେତିକି ନୁହେଁ ବରଂ ଭାରତ ପ୍ରସ୍ତୁତ କରୁଥିବା ୩୦ଗୋଟି ଟୀକାର ମଧ୍ୟରୁ ଦୁଇ ଗୋଟି ଟୀକା କ୍ଲିନିକାଲ୍ ଟ୍ରାଏଲ୍ ପର୍ଯ୍ୟାୟରେ ରହିଛି । ଏପରିକି ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍ ଖୁବ ଶୀଘ୍ର ବଜାରକୁ ଆସିବ ବୋଲି ମଧ୍ୟ ଅନୁମାନ କରାଯାଉଛି ।