ମାଟ୍ରିକ୍‌ ପରୀକ୍ଷା ଫଳ ମେ ପ୍ରଥମ ସପ୍ତାହରେ

ଭୁବନେଶ୍ଵର,ଅପ୍ରେଲ ୨୫: ମେ ମାସ ପ୍ରଥମ ସପ୍ତାହରେ ହାଇସ୍କୁଲ ସାର୍ଟିଫି‌େକଟ୍ ପରୀକ୍ଷା (ମାଟ୍ରିକ୍‌) ସମେତ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥି ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପ୍ରିଲ୍‌ ୫ତାରିଖରୁ ଖାତା ମୂଲ୍ୟାୟନ ସରିଥିବା ବେଳେ ଏବେ ରାଜ୍ୟ ବାହାର ଏକ କମ୍ପ୍ୟୁଟର ଫାର୍ମରେ ମୂଲ୍ୟାୟନ ପରବର୍ତ୍ତୀ କାମ ଶେଷ ହୋଇ ଆସିଥିବା ସୂଚନା ମିଳିଛି ।

ମାଟ୍ରିକ୍, ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ ୨୪ରୁ ଆରମ୍ଭ ହୋଇ ଏପ୍ରିଲ୍ ୫ରେ‌ ଶେଷ ହୋଇଥିଲା । ମୂଲ୍ୟାୟନ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ମୂଲ୍ୟାୟନ କେନ୍ଦ୍ରରୁ ସିଧାସଳଖ ଅନ୍‌ଲାଇନରେ ବୋର୍ଡ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ମାର୍କ ପୋ‌ଷ୍ଟିଂ ହୋଇଥିଲା। ପରେ ଏହାର ଯାଞ୍ଚ କରାଯାଇ କମ୍ପ୍ୟୁଟର ଫାର୍ମକୁ ପଠାଯାଇଥିଲା । ଦୀର୍ଘ ଉତ୍ତରମୂଳକ ଖାତା ମୂଲ୍ୟାୟନ ରାଜ୍ୟର ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିବା ବେଳେ ରାଜ୍ୟ ବାହରେ ଏକ ନିର୍ଦ୍ଦି‌ଷ୍ଟ କମ୍ପ୍ୟୁଟର ଫାର୍ମରେ ଓଏମ୍‌ଆର୍‌ ମୂଲ୍ୟାୟନ ଚାଲିଥିଲା । ଏବେ ଚୂଡାନ୍ତ ଯାଞ୍ଚ ଚାଲିଛି । ଏବେ ବୋର୍ଡ ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଞ୍ଜନ ମହାନ୍ତି ରାଜ୍ୟ ବାହାର ଫର୍ମରେ ରହି ଚୂଡାନ୍ତ ପର‌୍ୟ୍ୟାୟ ଯାଞ୍ଚ କରୁଛନ୍ତି । ପରୀକ୍ଷା ନିୟନ୍ତ୍ରକ ଡକ୍ଟର ମହାନ୍ତି ଫେରିବା ପରେ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶନ ତାରିଖ ଘୋଷଣା କରାଯିବ । ବୋର୍ଡର ଜଣେ ବରିଷ୍ଠ ଅଧିକାରୀ କହିବା ଅନୁସାରେ, ପରୀକ୍ଷା ନିୟନ୍ତ୍ରକ ପାଖାପାଖି ୧୦ରୁ ୧୨ଦିନ ମଧ୍ୟରେ କମ୍ପ୍ୟୁଟର ଫାର୍ମରେ ଚୁଡାନ୍ତ ପର୍ଯ୍ୟାୟ ଯାଞ୍ଚ କରନ୍ତି ।

ଏ ସଂକ୍ରାନ୍ତରେ ବୋର୍ଡ ସଂପାଦକ ରମାଶିଷ ହାଜରା କହିଛନ୍ତି, ‌ଏବେ ପ୍ରୋସେସିଂ ଚାଲିଛି। ସମସ୍ତ ପ୍ରୋସେସିଂ ସରିବା ପରେ ଫଳ ପ୍ରକାଶନ ତାରିଖ ଘୋଷଣା କରାଯିବ। ମେ’ ମାସରେ ଫଳ ପ୍ରକାଶ ପାଇବ ବୋଲି ସଂପାଦକ ଶ୍ରୀ ହାଜରା ସୂଚନା ଦେଇଛନ୍ତି ।

ସୂଚନା ଯୋଗ୍ୟ, ଚଳିତ ବର୍ଷ ଫେବ୍ରୁଆରି ୨୨ରୁ ଆରମ୍ଭ ହୋଇଥିବା ମାଟ୍ରିକ୍, ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ପରୀକ୍ଷା ମାର୍ଚ ୮ରେ ଶେଷ ହୋଇଥିଲା । ଏବର୍ଷ ୫ଲକ୍ଷ ୮୭ହଜାର ୭୨୦ଜଣ ପରୀକ୍ଷାର୍ଥୀ ରାଜ୍ୟର ୨୯୫୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ମାଟ୍ରିକ୍ ପାଇଁ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ଓପନ୍‌ ସ୍କୁଲ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ପ୍ରଶ୍ନପତ୍ର ରଖିବା ପାଇଁ ୩୦୪ଟି ନୋଡାଲ ସେଣ୍ଟର ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *