ମୃତ୍ୟୁ ସଂଖ୍ୟା ୯, ମୋଟ ଆକ୍ରାନ୍ତ ୨୮୫୬

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଇ ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଶେଷ କରି ଜୁନ ମାସ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇଛି । ଆଜି ରାଜ୍ୟରେ ନୂତନ ଭାବେ ୭୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କିଲର କରୋନା ପୁଣି ଜଣେ ବ୍ୟକ୍ତିଙ୍କ ପ୍ରାଣ ନେଇଛି । ମୃତ୍ୟୁବରଣ କରିଥିବା ବ୍ୟକ୍ତିଜଣକ ଗଞ୍ଜାମ ଅଂଚଳର ଜଣେ ୫୫ବର୍ଷିୟ ବ୍ୟକ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ବେଳେ ସେ ପୂର୍ବରୁ ଯକ୍ଷ୍ମାରେ ପିଡୀତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୯ ହୋଇଛି ।

ଚିହ୍ନଟ ହୋଇଥିବା ମୋଟ ୭୫ଜଣଙ୍କ ମଧ୍ୟରୁ ୭୨ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ବ୍ୟକ୍ତି ବୋଲି କୁହାଯାଇଛି । ଚିହ୍ନଟ ନୂତନ ବ୍ୟକ୍ତିମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଅଂଚଳରୁ ସର୍ବାଧିକ ୧୮ଜଣ ଲେଖାଏଁ ରହିଛନ୍ତି ।

ସେହିପରି ଯାଜପୁରରୁ ୭ଜଣ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ଓ କଟକରୁ ୫ଜଣ ଲେଖାଏଁ, ନୟାଗଡ଼ରୁ ୪, କେନ୍ଦ୍ରାପଡ଼ା ଓ ସୋନପୁରରୁ ୩ଜଣ ଲେଖାଏଁ, ଜଗତସିଂହପୁର, ଢ଼େଙ୍କାନାଳ, ଅନଗୁଳ ଓ କୋରାପୁଟରୁ ୨ ଜଣ ଲେଖାଏଁ, ଗଞ୍ଜାମ, ପୁରୀ, ନୂୁଆପଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟର ୯ଟି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଟପିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ ହୋଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭୧୬ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୨୯ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *