ରଥଯାତ୍ରା ଉପରେ ଶୀଘ୍ର ନିଷ୍ପତ୍ତି ନିଅ: ନିରଂଜନ

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୩ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । ରଥଯାତ୍ରା ପାଇଁ ରଥକାଠ ପୁରୀରେ ରଥଖଳାରେ ପହଂଚି ଗଲାଣି । ଏପ୍ରିଲ ୨୬ ତାରିଖ ଅକ୍ଷୟତୃତୀୟା ଠାରୁ ରଥ ନିର୍ମାଣ ଆରମ୍ଭ ହୋଇଯିବ । ହାତରେ ଆଉ ଅଧିକ ସମୟ ନାହିଁ । ରଥଯାତ୍ରା ସମୟ ବେଳକୁ ସାମଜିକ ଦୂରତା କଟକଣା କୋହଳ ହୋଇଯାଇ ଥିବାର ସମ୍ଭାବନା ମଧ୍ୟ କ୍ଷୀଣ । ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଶ୍ରୀମନ୍ଦିର ପରିଚାଳନା କମିଟି ଓ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଯଥାଶୀଘ୍ର ବିଚାର ବିମର୍ଶ କରି ରଥଯାତ୍ରା ସମ୍ପର୍କରେ ନିର୍ଦ୍ଧିଷ୍ଟ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ।
ଲକ୍ଷଲକ୍ଷ ଜଗନ୍ନାଥପ୍ରେମୀଙ୍କ ପରି ମୁଁ ମଧ୍ୟ ଜଣେ ଜଗନ୍ନାଥପ୍ରେମୀ । କିନ୍ତୁ ଚଳିତବର୍ଷର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ସମଗ୍ର ମାନବଜାତିକୁ ଏବେ କରୋନା ଭୂତାଣୁ ପରି ଏକ ମହାବିପତ୍ତି ପଡିଛି । ଏପରି ପରିସ୍ଥିତି ଇତିହାସରେ ବିରଳତମ ବୋଲି କୁହାଯିବ । ତେଣୁ ଏହି ପରିସ୍ଥିତିରେ ରଥଯାତ୍ରା କିପରି ହେବ, ତାହାର ରୂପରେଖ କ’ଣ ହେବ, କି ପଦକ୍ଷେପ ଗ୍ରହଣ କଲେ ଆମେ ନିରାପଦରେ ଓ ଶୃଙ୍ଖଳା ସହିତ ରଥଯାତ୍ରାକୁ ସଂପନ୍ନ କରିପାରିବା ତାହା ଏବେଠାରୁ ନିର୍ଦ୍ଧାରିତ ହୋଇଯିବା ଆବଶ୍ୟକ ବୋଲି ନିରଂଜନ ନବୀନଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ।
ରଥଯାତ୍ରା କେବଳ ପୁରୀରେ ହୁଏନାହିଁ । ଏହି ରଥକୁ ସମ୍ମାନ ଦେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେଣୁ ଶ୍ରୀମନ୍ଦିରର ରଥଯାତ୍ରା ସମ୍ପର୍କରେ ନିର୍ଦ୍ଦିଷ୍ଟ ନିଷ୍ପତ୍ତି ହୋଇଯିବା ପରେ ତାହାକୁ ସମଗ୍ର ରାଜ୍ୟରେ ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇପାରେ । କରୋନା ଭୂତାଣୁ ସଂକ୍ରମଣ ଯେପରି ଏକ ଉଦ୍‌ବେଗଜନକ ପ୍ରସଙ୍ଗ, ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସେହିପରି ଏକ ସ୍ପର୍ଶକାତର ପ୍ରସଙ୍ଗ । ତେଣୁ ମହାପ୍ରଭୁଙ୍କ ରଥଯାତ୍ରା ସଂପର୍କରେ ନିଷ୍ପତ୍ତି ନେବାବେଳେ କରୋନା ଭୂତାଣୁ ସଂକ୍ରମଣର ଆଶଂକାକୁ ଆଖି ଆଗରେ ରଖି ସୁଚିନ୍ତିତ ପଦକ୍ଷେପ ନେବାକୁ ପଡିବ ।
ଏଥିପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି, ସେବାୟତ ତଥା ଓଡିଶାର ନାଗରିକ ସମାଜର ମତାମତ ନେବା ଅଧିକ ସମୟୋଚିତ ହେବ । ଏପ୍ରିଲ୍ ୨୬ ତାରିଖଠାରୁ ରଥଯାତ୍ରାର ପ୍ରଥମ ପର୍ବ ଆରମ୍ଭ ହୋଇ ଯାଉଥିବାରୁ ଆଉ ଅଧିକ ବିଳମ୍ବ ନ’କରି ସରକାର ଏଦିଗରେ ଯଥାର୍ଥ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଆଶା କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ପରାମର୍ଶ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *