ରେଜିଷ୍ଟ୍ରେସନ ପାଇଁ ମୋବାଇଲ ଓ ଆଧାର ବାଧ୍ୟତା ମୂଳକ ନହେଉ
ଭୁବନେଶ୍ୱର: ଆଜି ସରକାରଙ୍କ ପକ୍ଷରୁ ତାଲାବନ୍ଦ ପରେ ଓଡିଶାକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ, ବିଦ୍ୟାର୍ଥୀ, ତୀର୍ଥଯାତ୍ରୀ, ପେସାଦାର ଚାକିରିଆ ଓ ଅନ୍ୟାନ୍ୟ ବର୍ଗର ଲୋକଙ୍କ ପାଇଁ ସରକାର କିଭଳି ପଦକ୍ଷେପ ନେଇଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ପ୍ରକାଶ କରାଯାଇଛି । ଏହି ବର୍ଗର ଲୋକମାନେ ବାହାରୁ ଓଡିଶାକୁ ଫେରିବାକୁ ହେଲେ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ଆମେ ସ୍ୱାଗତ କରୁଛୁ । କିନ୍ତୁ ପଞ୍ଜିକରଣ ପାଇଁ ଆଧାରକାର୍ଡ଼ ଓ ମୋବାଇଲ୍ ନମ୍ବର ବାଧ୍ୟତାମୂଳକ କରାଯିବା ଉଚିତ ହେବ ନାହିଁ ବୋଲି ଆମର ମତ । କାରଣ ଯଦିଓ ଅଧିକାଂଶ ଲୋକଙ୍କ ପାଖରେ ଆଧାରକାର୍ଡ଼ ଏବଂ ମୋବାଇଲ୍ ରହିଥିବାର ବିଶ୍ୱାସ ରହିଛି ତଥାପି ଏମିତି କିଛି ଲୋକ ଥିବେ ବିଶେଷ କରି ଦାଦନ ଶ୍ରମିକଙ୍କ ପାଖରେ ଆଧାରକାର୍ଡ଼ କିମ୍ବା ମୋବାଇଲ୍ ନଥାଇପାରେ ! ଏଭଳି ଲୋକଙ୍କୁ ପଞ୍ଜିକରଣରୁ ବାଦ ଦେବା ଅର୍ଥ ହେଉଛି ସେମାନଙ୍କୁ ତାଙ୍କର ଭିଟା ମାଟିକୁ ଆସିବାକୁ ନଦେବା । ମାସାଧିକ କାଳ ଲକ୍ଷ ଲକ୍ଷ ଓଡିଆ ଲୋକ ଲକଡାଉନ୍ ପାଇଁ ବାହାରେ ଫସି ରହି ଅତ୍ୟନ୍ତ ଦୁର୍ବିସହ ଜୀବନ ଯାପନ କରୁଛନ୍ତି । ସେମାନଙ୍କୁ ଓଡିଶା ଆସିବାର ସୁଯୋଗରୁ ଜଣଙ୍କୁ ହେଲେ ବଞ୍ଚିତ କରାଯିବା ଉଚିତ ନୁହଁ । ତେଣୁ ଆଧାରକାର୍ଡ଼ ଏବଂ ମୋବାଇଲ ନମ୍ବରକୁ ରେଜିଷ୍ଟ୍ରେସନ ପାଇଁ ବାଧ୍ୟତାମୂଳକ ନ କରନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏକ ପ୍ରେସ ଇସ୍ତାହାର ଜରିଆରେ ସରକାରଙ୍କ ନିକଟରେ ନିବେଦନ କରିଛି ।
ଏହି ଲୋକମାନେ ବାହାରୁ ଫେରିବା ପରେ ବିକଳ୍ପ ଜୀବିକାର ଅନୁସନ୍ଧାନ କରିବେ । ଏମାନଙ୍କ ଭିତରୁ ଅଧିକାଂଶ ଓଡିଶାରେ ରହି ଜୀବିକାର ମାଧ୍ୟମ ଖୋଜିବେ । ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥାର ଯୋଜନା ସରକାର ଏବେଠୁ ପ୍ରସ୍ତୁତ କରିବା ଆବଶ୍ୟକ । ଗ୍ରାମ ପଞ୍ଚାୟତ ଏବଂ ସହରାଞ୍ଚଳରେ ତୃଣମୂଳ ସ୍ତରରେ ଏଥିପାଇଁ ଅଣୁ ସ୍ତରୀୟ ଯୋଜନା ହେବା ଦରକାର । ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ସହରାଞ୍ଚଳ ଜୀବିକା ମିଶନ ଇତ୍ୟାଦି ସଂସ୍ଥା ଗୁଡିକୁ ଏଥିପାଇଁ ଏବେଠୁ ସରକାର ଯୋଜନା ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦେବା ଆବଶ୍ୟକ । ଜୀବିକା ପ୍ରୋତ୍ସାହନ କ୍ଷେତ୍ରରେ କାମ କରୁଥିବା ବେସରକାରୀ ସଂସ୍ଥା ଓ ଏନଜିଓ ମାନଙ୍କୁ ଏଥିରେ ମଧ୍ୟ ସାମିଲ କରେଇବାର ଆବଶ୍ୟକତା ରହିଛି । ସରକାର ଏଥିପ୍ରତି ନିଶ୍ଚୟ ଦୃଷ୍ଟି ଦେବେ ବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ଆଶା କରୁଛି ବୋଲି ଏକ ପ୍ରେସ ଇସ୍ତାହାରରେ ଜଣାଇଛି ।