ଲକ୍ ଡାଉନ୍: ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ବାଣ୍ଟିଲା ରନ୍ଧାଖାଦ୍ୟ
ଭୁବନେଶ୍ୱର, ୧/୪: ବିଶ୍ୱ ମହାମାରୀ କରୋନାର ଆତଙ୍କ ଚାରିଆଡ଼େ ଏକ କୋକୁଆ ଭୟର ବାତାବରଣ ସୃଷ୍ଟି କରିଥିଲା ବେଳେ ତାଠାରୁ ଅଧିକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ଗରିବ ଅସହାୟ ଲୋକମାନଙ୍କ ବୁଭୁକ୍ଷୁ ଅବସ୍ଥା । ଚାରିଆଡ଼େ ରାସ୍ତାଘାଟ ଜନଶୂନ୍ୟ ହୋଇ ଖାଁ ଖାଁ ହୋଇ ଯାଇଥିଲା ବେଳେ ଦରିଦ୍ର, ଭିକାରୀ ଓ ଦିନ ମଜୁରିଆଙ୍କ ଅବସ୍ଥା ଗୁରୁତର ହୋଇଯାଇଛି । ସେମାନଙ୍କର ଏହି ଅସମୟ ଅବସ୍ଥାରେ ଆଜି ଦ୍ଵିତୀୟ ଦିନ ପାଇଁ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ତରଫରୁ ରନ୍ଧାଖାଦ୍ୟ ପୁଡ଼ିଆ କରି ସି.ଆର.ପି, ୟୁନିଟ-୮, ପି.ଏମ୍.ଜି ଛକ, ମାଷ୍ଟର କ୍ୟାଣ୍ଟିନ ଛକ, ଷ୍ଟେସନ ବଜାର ଆଦି ଅଞ୍ଚଳରେ ଏମିତି ଅସହାୟ ଲୋକମାନଙ୍କୁ ଠାବ କରି ବଣ୍ଟନ କରାଯାଇଥିଲା ।
ଏହି ପୁଣ୍ୟ କାର୍ୟ୍ୟରେ ଅନୁଷ୍ଠାନ ପକ୍ଷରୁ ଶ୍ରୀମତୀ ନମିତା ରାଓ, ସୁଶାନ୍ତ ସ୍ୱାଇଁ, ଲଗ୍ନାଦୀପା ମିଶ୍ର ପ୍ରମୁଖ ଦୁଇଚକିଆ ଯାନରେ ବୁଲି ବୁଲି ଉପରୋକ୍ତ ସ୍ଥାନ ମାନଙ୍କରେ ଖାଦ୍ୟ ବଣ୍ଟନ କରିଥିଲେ । ଏହି କ୍ରମରେ ଏପ୍ରିଲ ୨ ତାରିଖ ଶ୍ରୀରାମ ନବମୀ ଅବସରରେ କଳିଙ୍ଗ ବିହାର, ଲକ୍ଷ୍ମୀ ନାରାୟଣ ବସ୍ତି ଅଞ୍ଚଳରେ ଦୈନିକ ଆବଶ୍ୟକତା ଅନୁରୂପ ପରିବା ପ୍ୟାକେଟ୍ ବ୍ୟବସ୍ଥା କରି ବଣ୍ଟାଯିବ ।
ଏହି କାର୍ଯ୍ୟକ୍ରମକୁ ସଙ୍ଗଠନର ପ୍ରଚାର ପାଇଁ ନୁହେଁ ବରଂ ଅନ୍ୟ ସମର୍ଥ ବ୍ୟକ୍ତିବିଶେଷ ଏବଂ ସାମାଜିକ ସଂଗଠନ ପକ୍ଷରୁ ଦେଶର ଏହି ଦୁର୍ଦ୍ଦିନରେ ଗରିବ ଅସହାୟ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚାଇ ଅନ୍ୟମାନଙ୍କୁ ପ୍ରେରିତ କରିବା ଉଦ୍ଦେଶ୍ୟରେ ଗଣମାଧ୍ୟମ ମାନେ ପ୍ରସାରିତ କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି ।