ସାମ୍ବାଦିକଙ୍କ ସମାଲୋଚନା ପାଇଁ ସୁଦୃଢ ହୋଇଛି ଗଣତନ୍ତ୍ର: ଧର୍ମେନ୍ଦ୍ର

ଭୁବନେଶ୍ୱର, ୧୬ା୧୧: ସାମ୍ବାଦିକମାନେ ଗଣତନ୍ତ୍ରରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛନ୍ତି । ସେମାନଙ୍କର ଆଲୋଚନା, ସମାଲୋଚନା ଏବଂ ନିନ୍ଦା ରାଜନୀତି ପାଇଁ ଆଶାବାଡ଼ି ସଦୃଶ । ତେଣୁ ରାଜନୀତିକ ସ୍ଥିତି ପାଇଁ ସାମ୍ବାଦିକମାନଙ୍କର ବିଶେଷ ଆବଶ୍ୟକତା ରହିଛ ବୋଲି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ଶନିବାର ଜୟଦେବ ଭବନଠାରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ ଆନୁକୂଲ୍ୟରେ କେନ୍ଦ୍ର ସରକାରଙ୍କ ଦୂରଦର୍ଶନ କେନ୍ଦ୍ର, ଆକାଶବାଣୀ, ପ୍ରେସ୍ ଇନଫରମେସନ୍ ବ୍ୟୁରୋ (ପିଆଇବି), କ୍ଷେତ୍ର ପ୍ରଚାର ନିର୍ଦ୍ଦେଶାଳୟ (ଡିଏଫପି) ଏବଂ ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଏଣ୍ଡ ଇନଫରମେସନ୍ ଟେକ୍ନୋଲୋଜି (ଅମିତ୍) ଅନୁଷ୍ଠାନର ମିଳିତ ସହାୟତାରେ ଜାତୀୟ ସାମ୍ବାଦିକ ଦିବସ ପାଳନ ଅବସରରେ ସାମ୍ବାଦିକ ଏବଂ ସାମ୍ବାଦିକତା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାମ୍ବାଦିକ ଏବଂ ମାଲିକ ଦୁଇଟି ସ୍ୱତନ୍ତ୍ର ଗୋଷ୍ଠୀ । କିନ୍ତୁ ସମ୍ବାଦ କ୍ଷେତ୍ରରେ ମାଲିକମାନେ ବିଧାୟକ କିମ୍ବା ସାଂସଦ ଭାବରେ ବ୍ୟବସ୍ଥାପକର ଏକ ଅଂଶ ହୋଇଥିବା ସ୍ଥଳେ ସାମ୍ବାଦିକମାନେ ସେମାନଙ୍କ ମାଲିକ ନିକଟରେ ରାଜନୀତିକ କ୍ଷେତ୍ରର ପରିସରରେ ଦାବି ଜାହିର କରିବାରେ ତ୍ରୁଟି କରିନାହଁନ୍ତି । ଏ କ୍ଷେତ୍ରରେ କିଛି ସାମ୍ବାଦିକ ଜୀବିକା ହରାଇଥିଲେ ମଧ୍ୟ ନିଜର ବିଚାର ଛାଡ଼ି ନାହଁନ୍ତି । ସେମାନଙ୍କର ଏହି ଆଦର୍ଶ ଆଜିର ସାମ୍ବାଦିକମାନଙ୍କ ପ୍ରତି ଏକ ପ୍ରେରଣା ହେଉ ବୋଲି କହିଛନ୍ତି । ବର୍ତ୍ତମାନ ସ୍ଥିତିରେ ନିରପେକ୍ଷ, ନିର୍ଭୀକ ଏବଂ ଦୁର୍ମୁଲ୍ୟ ମତ ଉପସ୍ଥାପନ ସାମ୍ବାଦିକମାନେ ଜାରି ରଖିଥିବାରୁ ଆଜି ଗଣତନ୍ତ୍ର ସୁଦୃଢ ହୋଇପାରିଥିବା ଶ୍ରୀ ପ୍ରଧାନ କହିଥିଲେ ।
ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଏହି ଉତ୍ସବରେ ଯୋଗ ଦେଇ ସାମ୍ବାଦିକତା ବୃତ୍ତିରେ ସତ୍ୟନିଷ୍ଠ ଭାବେ ଜୀବନବ୍ୟାପୀ ସାଧନା କରିଥିବା ବରିଷ୍ଠ ସାମ୍ବାଦିକମାନଙ୍କୁ ଉତ୍ତର ପୀଢିର ଆଦର୍ଶ ବୋଲି କହିଥିଲେ । ପୂର୍ବସୁରୀମାନେ ନିର୍ଭୀକ ଭାବରେ ସତ୍ୟନିଷ୍ଠ ସମ୍ବାଦ ପରିବେଷଣ କରିଥିବାରୁ ସମାଜ ପ୍ରତି ସେମାନଙ୍କ ଅବଦାନ ଭୁଲି ହେବ ନାହିଁ ବୋଲି ମଧ୍ୟ କହିଥିଲେ । ଆଜି ବୈଷୟିକ ଜ୍ଞାନକୌଶଳର ପ୍ରଗତି ସହିତ ସାମ୍ବାଦିକତାର ପରିସର ବୃଦ୍ଧି ପାଇଥିବା ସ୍ଥଳେ ସମସ୍ତେ ଜଣେ ଜଣେ ସାମ୍ବାଦିକ ବୋଲି ଦାବି କରନ୍ତି । କିନ୍ତୁ କେବଳ ପ୍ରକୃତ ସାମ୍ବାଦିକ ସତ୍ୟକୁ ଉପସ୍ଥାପନ କରି ସମାଜକୁ ଆନ୍ଦୋଳିତ କରିପାରିଛି ବୋଲି ସେ କହିଥିଲେ । ସାମ୍ବାଦିକର ସାଲିସ୍ ବିହୀନ ମନୋଭାବ, ମୂଲ୍ୟବୋଧଭିତ୍ତିକ ସମ୍ବାଦ ପରିବେଷଣ ତଥା ବିଶ୍ୱାସନୀୟତା ଉପରେ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି କହିଥିଲେ ।
ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଲୋଚନା ପ୍ରସଙ୍ଗରେ ସମ୍ବାଦ ସଂସ୍ଥାମାନଙ୍କର ବ୍ୟବସାୟିକ ମଡ଼େଲ ପ୍ରସ୍ତୁତ ଉପରେ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ ଯେ, ଅଧିକ ବିଜ୍ଞାପନ ବଦଳରେ ଅଧିକ ସମ୍ବାଦ ଏବଂ କମ୍ ବିଜ୍ଞାପନକୁ ବ୍ୟବସାୟିକ ମଡ଼େଲ ଭାବରେ ଗ୍ରହଣ କରାଯିବା ପାଇଁ ସାମ୍ବାଦିକ ତଥା ମାଲିକମାନଙ୍କୁ ଉପଦେଶ ଦେଇଥିଲେ ।
ସାହାରା ନ୍ୟୁଜ୍ର ମୁଖ୍ୟ ଉପେନ୍ଦ୍ର ରାୟ ପାଶ୍ଚାତ୍ୟ ଦେଶର ବୈଜ୍ଞାନିକ ଉଦ୍ଭାବନ ସହିତ ପ୍ରାଚ୍ୟ ଦେଶ ଭାରତର ଆଧ୍ୟାତ୍ମିକତା ଶୀର୍ଷ ସ୍ଥାନ ମଧ୍ୟରେ ସମନ୍ୱୟ ରକ୍ଷା କରି ସାମ୍ବାଦିକମାନେ ଦେଶକୁ ୫ ଟ୍ରିଲିୟନ ଡ଼ଲାରର ଅର୍ଥନୀତି ହେବା ଲକ୍ଷ୍ୟ ପୂରଣ କରିପାରିବେ ବୋଲି କହିଥିଲେ । ବୟସରେ ନୁହେଁ, ମନରେ ଯୌବନକୁ ଏଥିପାଇଁ ବଞ୍ଚାଇ ରଖିବାକୁ ପଡ଼ିବ ବୋଲି ମତ ଦେଇଥିଲେ ।
ଲୋକସେବକ ମଣ୍ଡଳର ସଚିବ ତଥା ସମାଜର ପ୍ରକାଶକ ନିରଞ୍ଜନ ରଥ ଏହି ଅବସରରେ ଯୁବ ସାମ୍ବାଦିକମାନଙ୍କୁ ବରିଷ୍ଠ ସାମ୍ବାଦିକମାନଙ୍କ ଆଦର୍ଶରେ ଉଦ୍ବୁଦ୍ଧ ହେବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ରାଜ୍ୟର ବରିଷ୍ଠ ସାମ୍ବାଦିକ ସାରଦା ପ୍ରସନ୍ନ ନନ୍ଦଙ୍କୁ ‘ଉକ୍ରଳ ସାମ୍ବାଦିକ ରତ୍ନ’ ସମ୍ମାନ ଏବଂ ଜାତୀୟସ୍ତରରେ ଉପେନ୍ଦ୍ର ରୟ, ପ୍ରଶାନ୍ତ ଏମ୍. ଆକେରେ, ମହମ୍ମଦ ଆଲାମ ଆଜାମ ଅଲ୍ଲୀମନ୍ସୁରୀ, ନରେନ୍ଦ୍ର ବି. ଆହିରି, ବିନୋଦ ପୋଦାର, ଭୀମ୍ ଶର୍ମା, ବ୍ରିଜେଶ ସିଂ, ରାଣା ଘୋଷ ୮ଟି ସମ୍ବାଦପତ୍ରର ସଂପାଦକଙ୍କୁ ‘ରାଷ୍ଟ୍ରୀୟ ସାମ୍ବାଦିକ ଗୌରବ’ରେ ସମ୍ମାନିତ କରାଯାଇଛି । ଏହି ଉତ୍ସବରେ ସାମ୍ବାଦିକତା ଶିକ୍ଷା କ୍ଷେତ୍ରରେ ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଉକ୍ରଳ ବିଶ୍ୱବିଦ୍ୟାଳୟର ଛାତ୍ରୀ ପଦ୍ମାବତୀ କୁଣ୍ଡୁଙ୍କୁ ‘ରବି ନାରାୟଣ ମହାନ୍ତି ସ୍ମାରକୀ ସମ୍ମାନ’, ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରୀ କବିତା କୁମାରୀ ଦାଶଙ୍କୁ ‘ଗୋପାଳ ମିଶ୍ର ସ୍ମାରକୀ ସମ୍ମାନ’ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ସୋହିନୀ ବିଶ୍ୱାସଙ୍କୁ ‘ବରେନ୍ଦ୍ର କୃଷ୍ଣ ଧଳ ସ୍ମାରକୀ ସମ୍ମାନ’, ଢ଼େଙ୍କାନାଳ ସ୍ଥିତ ଇଣ୍ଡିଆନ ଇନିଷ୍ଟିଚ୍ୟୁଟ୍ ଅଫ ମାସ କମ୍ୟୁନିକେସନ (ଆଇଆଇଏମସି)ର ଛାତ୍ର ଆଲୋକ ଚନ୍ଦ୍ର ବାରିକଙ୍କୁ ‘ଦିଲ୍ଲୀପ ଶତପଥୀ ସ୍ମାରକୀ ସମ୍ମାନ’, କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ରୀ ବିଦୁଶୀ ରୟଙ୍କୁ ‘ରାମହରି ମିଶ୍ର ସ୍ମାରକୀ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା ଥରେ ସ୍ୱୀକୃତିପ୍ରାପ୍ତ ହୋଇଥିବା ଓ ୬୫ବର୍ଷରୁ ଊଦ୍ଧ୍ୱର୍ ଥିବା ୨୭ଜଣ ବରିଷ୍ଠ ସାମ୍ବାଦିକ ମହେଶ୍ୱର ମୂଳିଆ, ଦୁଲାଲ ମିଶ୍ର, ସୁରେନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପଟ୍ଟନାୟକ, ପଣ୍ଡିତ ପ୍ରବୋଧ କୁମାର ମିଶ୍ର, ରତ୍ନାକର ବେହେରା, ସାରଦା ପ୍ରସନ୍ନ ନନ୍ଦ, ବସନ୍ତ ଦାସ, ପ୍ରଦୋଷ ପଟ୍ଟନାୟକ, ଅରୁଣ କୁମାର ପଣ୍ଡା, ସୁବାସ ଚନ୍ଦ୍ର ପଟ୍ଟନାୟକ, ଅକ୍ଷୟ କୁମାର ପତି, ହଳଧର ଧୀର, ଅର୍ଜୁନ ରଞ୍ଜନ ପଣ୍ଡା, ଅଜିତ କୁମାର ମହାନ୍ତି, ଗଜେନ୍ଦ୍ର କୁମାର ମହାନ୍ତି, ଏସ ଏ ମନାନ୍, ଭାଗବତ ତ୍ରିପାଠୀ, ଗୋଲକ ଚନ୍ଦ୍ର ସୂତାର, ବସନ୍ତ କୁମାର ଦାଶ, ଶ୍ରୀରାମ ଦାଶ, ଗୁରୁକଲ୍ୟାଣ ମହାପାତ୍ର, ସୁଜ୍ଞାନ ଚୌଧୁରୀ, ସୁଦାମ ଚରଣ ନାୟକ, ପଦ୍ମନାଭ ଜେନା, ଶିବପ୍ରସାଦ ତ୍ରିପାଠୀ ଓ ବିପିନ ଦାଶଙ୍କୁ ପେନସନ ପ୍ରଦାନ କରାଯିବ । ଏହାଛଡ଼ା ସିଏସଆର କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ବରିଷ୍ଠ ଅଧିକାରୀ ସଞ୍ଜୟ ସାହୁଙ୍କୁ ସମ୍ମାନିତ କରାଯାଇଛି ବୋଲି କଲ୍ୟାଣ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇଛି ।
ପ୍ରଥମ ଅଧିବେଶନରେ ରିପୋର୍ଟିଂ ଇଣ୍ଟରପ୍ରିଟେସନ ଏ ଜର୍ଣି ଶୀର୍ଷକ ଆଲୋଚନା ଚକ୍ରରେ ଯୋଗ ଦେଇ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାମ୍ବାଦିକମାନେ ସମୟର ସଦୁପଯୋଗ, କଲମର ସଦ୍ବ୍ୟବହାର ଏବଂ ବିବେକକୁ ଉପଯୋଗ କରି କର୍ତ୍ତବ୍ୟନିଷ୍ଠ ଭାବେ ନିଜ ବୃତ୍ତିରେ ଆଗେଇଯିବା ଉଚିତ୍ ବୋଲି ଆହ୍ୱାନ ଦେଇଥିଲେ । ସତ୍ୟ ଅତ୍ୟନ୍ତ ନିଷ୍ଠୁର ହୋଇଥିଲେ ମଧ୍ୟ ସାମ୍ବାଦିକ ବ୍ୟକ୍ତି ପଛରେ ନ ଗୋଡ଼ାଇ ରାଷ୍ଟ୍ର ହିତରେ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ । ସମ୍ବାଦରୁ ଅନ୍ୟ କୌଣସି କଦର୍ଥ ନ ବାହାରିବା ଦିଗରେ ସାମ୍ବାଦିକ ଦୃଷ୍ଟି ଦେବା ଉଚିତ୍ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ । ବର୍ତ୍ତମାନ ସାମ୍ବାଦିକତା ପେଡ୍ ନ୍ୟୁଜ୍ ହୋଇଯାଇଥିବାରୁ ଏହି ପରମ୍ପରାକୁ ଭାଙ୍ଗି ଦେଶ ଗଠନରେ ସାମ୍ବାଦିକମାନେ କଲମ ଚାଳନା କରିବାକୁ ଆହ୍ୱାନ କରିଥିଲେ । ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୈଦ୍ୟୁତିକ ଗଣମାଧ୍ୟମର ଇତିହାସ ବର୍ଣ୍ଣନା କରି ସାମ୍ବାଦିକମାନେ ବିଭିନ୍ନ ଗୋଷ୍ଠୀରେ ବିଭାଜିତ ହୋଇଥିଲେ ମଧ୍ୟ ସେମାନଙ୍କର ଦାବୀ ଏକ ହେବା ଉଚିତ୍ ବୋଲି କହିଥିଲେ । ରାଜ୍ୟ ଶ୍ରମ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପ୍ରେସ୍ ଦିବସର ତାତ୍ପର୍ଯ୍ୟ ବର୍ଣ୍ଣନା କରିବା ସହ ପ୍ରାକ୍ ସ୍ୱାଧୀନତା କାଳରେ ସାମ୍ବାଦିକତାର ଧାରା ବର୍ଣ୍ଣନା କରିଥିଲେ । ସାମ୍ବିଧାନିକ ସ୍ୱୀକୃତି ନଥାଇ ମଧ୍ୟ ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ଭାବରେ ମାନ୍ୟତା ପାଇଥିବାରୁ ଏହାର ସାଧୁତା, ନିରପେକ୍ଷତା ବାଧାପ୍ରାପ୍ତ ନହେବା ଉଚିତ୍ ବୋଲି ମତ ଦେଇଥିଲେ । ଏଥିସହିତ ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କର ସମସ୍ୟା ଅଧିକ ଥିବାରୁ ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମତ ଦେଇଥିଲେ ।
ଅପରାହ୍ଣ ଆଲୋଚନାଚକ୍ରରେ ଦୈନିକ ‘ସମାଜ’ର ସଂଯୋଜକ ସୁରେଶ ମନ୍ତ୍ରୀ, ଆକାଶବାଣୀର ପୂର୍ବତନ ରାଜ୍ୟ ସମ୍ବାଦଦାତା ସୁଧାଂଶୁ ଶେଖର ଧଡା, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି କର, ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ, ରମେଶ ମହାନ୍ତି, ଦିଲ୍ଲୀପ ବିଶୋୟୀ, ଗୁରୁକଲ୍ୟାଣ ମହାପାତ୍ର, ସନ୍ତୋଷ ପାଣ୍ଡେ, ଅଶୋକ ପଣ୍ଡା, ଅମିତ୍ କଲେଜର ନିର୍ଦ୍ଦେଶକ ତ୍ରିଦେବ ନାରାୟଣ ମହାନ୍ତି, ପ୍ରଫେସର ଦୁର୍ଗାଶଙ୍କର ସେନାପତି ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଅଧିବେଶନରେ ସଭାପତିତ୍ୱ କରି ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ସାମ୍ବାଦିକ ନିଜର ମର୍ଯ୍ୟାଦା ଭିତରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ସାଧାରଣ ସମ୍ପାଦକ ସନତ ମିଶ୍ର ରାଜ୍ୟରେ ସଂଗଠନର ଇତିହାସ ବର୍ଣ୍ଣନା କରିଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି ତଥା ବରିଷ୍ଠ ସମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *