ହାଜତ ମୃତ୍ୟୁର ତଦନ୍ତ ନାହିଁ

ଭୁବନେଶ୍ୱର: ସାଧାରଣ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତା ପାଇଁ ସମଗ୍ର ବିଶ୍ୱରେ ରହିଛି ପୋଲିସ ବ୍ୟବସ୍ଥା । ସମଗ୍ର ବିଶ୍ୱର ପୋଲିସ ବ୍ୟବସ୍ଥାଠାରୁ ଭିନ୍ନ ହୋଇଯାଇଛି ଆମ ରାଜ୍ୟର ପୋଲିସ ବ୍ୟବସ୍ଥା । ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ବଦଳରେ ସାଧାରଣ ଲୋକଙ୍କ ପାଇଁ ଭୟର କାରଣ ପାଲଟି ଯାଇଛି ଏହି ପୋଲିସିଂ ସିଷ୍ଟମ । ପୋଲିସକୁ ଦେଖିଲେ ଲୋକେ ସୁରକ୍ଷିତ ମଣିବା ବଦଳରେ ଭୟଭିତ ହୋଇପଡୁଛନ୍ତି । ଯଦି ବିଗତ ପାଞ୍ଚ ବର୍ଷର ହାଜତ ମୃତ୍ୟୁକୁ ଦେଖିବା ତେବେ ସାଧାରଣ ଲୋକେ ପୋଳିସକୁ ଭୟ କରିବା ସ୍ୱଭାବିକ ବୋଲି ମନେକରିବା । ଅପରପକ୍ଷରେ ହାଜତ ମୃତ୍ୟୁ ଘଟଣା ଘଟିଚାଲି ଥିଲେ ମଧ୍ୟ ରାଜ୍ୟ ଗୃହବିଭାଗ ପକ୍ଷରୁ ଏହାର ତଦନ୍ତରେ ଶୀଥିଳତା ଏବଂ ଦୋଷି ପୋଲିସଙ୍କୁ ଦଣ୍ଡ ନମିଳିପାରିବା କାରଣରୁ ପୋଲିସ ଆହୁରି ଆକ୍ରମଣାତ୍ମକ ହୋଇଉଠୁଥିବା କୁହାଯାଉଛି । ଗୃହମନ୍ତ୍ରୀ ଏବଂ ଗୃହ ସଚିବ ଏଥିପ୍ରତି ଦୃଷ୍ଟି ନଦେଉନଥିବାରୁ ଦିନକୁ ଦିନ ପୋଲିସ କ୍ରାଇମ ମଧ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ହେଉଛି ।
ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋର ତଥ୍ୟକୁ ଯଦି ନଜର ପକାଯାଏ ତେବେ ଆମ ରାଜ୍ୟରେ ୨୦୦୧ ମସିହାରୁ ୨୦୦୭ ମସିହା ମଧ୍ୟରେ ମୋଟ ୧୨ଟ ହାଜତ ମୃତ୍ୟୁ ଘଟିଥିଲା । ମାତ୍ର ୨୦୧୦ ମସିହାରେ ଓଡିଶାରେ ୪ଟି ହାଜତ ମୃତ୍ୟୁ ଘଟିଥିବା ବେଳେ ୨୦୧୧ ମସିହାରେ ୪ଟି, ୨୦୧୨ ମସିହାରେ ୩ଟି ଏବଂ ୨୦୧୩ ମସିହାରେ ୬ଟି ହାଜତ ମୃତ୍ୟୁ ଘଟିଥିବା ରେକର୍ଡ କରାଯାଇଛି । ଯଦି ୨୦୧୩ ମସିହାକୁ ଅନୁଧ୍ୟାନ କରାଯାଏ ତେବେ ଏହି ବର୍ଷ ପୋଲିସର ଦୌରତ୍ମ୍ୟର ମାତ୍ରା କେତେ ଥିବ ତାହା ସହଜେ ଅନୁମେୟ । କେବଳ ସେତିକି ନୁହେଁ ରାଜ୍ୟସରକାରଙ୍କୁ ଏହି ପୋଲିସ ପାଇଁ ନିନ୍ଦିତ ହେବାକୁ ପଡିଥିଲା । ଖୋଦ ଗୃହ ବିଭାଗରେ ରହିଥିବା ମୁଖ୍ୟମନ୍ତ୍ରୀ କିନ୍ତୁ ନିଦା ବିଷ୍ଣୁ ପରି କେବଳ ତଦନ୍ତର ଆଳ ଦେଖାଇ ରାଜ୍ୟ ବାସୀଙ୍କୁ ଭଣ୍ଡାଇ ଦେଇ ଚାଲିଗଲେ । ୨୦୦୪ ମସିହାରେ ରାଜ୍ୟରେ ୪ ଜଣଙ୍କର ହାଜତ ମୃତ୍ୟୁ ହୋଇଥିବା ବେଳେ ସହିଦ ନଗର ଓ କୁଚିଣ୍ଡା ହାଜତ ମୃତ୍ୟୁ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ବିଚାର ବିଭାଗୀୟ ତଦନ୍ତର ଘୋଷଣା କରାଯାଇଥିଲା । ସେହି ସମୟରେ ଏହି ଦୁଇ ହାଜତ ମୃତ୍ୟୁ ଘଟଣା ସମଗ୍ରରାଜ୍ୟରେ ଚର୍ଚ୍ଚା ପାଲଟିଥିଲା । ରାଜ୍ୟର ଅତି ସମ୍ବେଦନଶୀଳ ଘଟଣା ଭାବେ ୨୦୦୭ ମସିହାରେ ବ୍ରାହ୍ମଣୀ ତରଙ୍ଗ ହାଜତ ମୃତ୍ୟୁ ଘଟଣାକୁ ନିଆଯାଇଥିଲା । ଅଭିଯୁକ୍ତ ଚୁଲିଲା କିଷାନ ପୋଲିସର ନିର୍ଯାତନା ସହି ନପାରି ପାଇଖାନା ଘରେ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଗଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପୋଲିସ ବିପକ୍ଷରେ ଏକ ସ୍ରୋତ ଆରମ୍ଭ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ ପାଇଁ ମାନବାଧିକାର କମିଶନଙ୍କୁ ଅନୁରୋଧ କରାଯାଇଥିଲା । ମାନବାଧିକାର କମିଶନ ଏହାର ତଦନ୍ତ କରିସାରିଥିଲେ ମଧ୍ୟ ଅଦ୍ୟାବଧି ଏହାର ରିପୋର୍ଟ ସର୍ବସାଧାରଣରେ ପ୍ରକାଶ କରାଯାଇ ନାହିଁ କିମ୍ବା ଦୋଷୀକୁ ଦଣ୍ଡ ଦିଆଯାଇ ପାରି ନାହିଁ । ସବୁଠାରୁ ବଡ କଥା ହେଉଛି ୨୦୦୧ ମସିହାରୁ ଅଦ୍ୟାବଧି ରାଜ୍ୟରେ ଘଟିଥିବା ହାଜତ ମୃତ୍ୟୁ ଘଟଣାରେ କୌଣସି ଜଣେ ହେଲେ ପୋଲିସ କର୍ମଚାରୀ ଦଣ୍ଡ ପାଇବାର ନଜିର ଏହି ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋରେ ଉଲ୍ଲେଖ କରାଯାଇ ନାହିଁ । ଏହି ସମସ୍ତ ଘଟଣାକୁ ଲକ୍ଷ୍ୟ କଲେ ପୋଲିସ ତାର ମୁଳ ଲକ୍ଷ୍ୟଠାରୁ ଦୁରେଇ ଯାଇଥିବା ପରି ମନେ ହେଉଛି । ସୁନ୍ଦରଗଡର ନୀଳାବତି ବେହେରା ଭର୍ସେସ ୟୁନିଅନ ଅଫ ଇଣ୍ଡିଆ ମାମଲାରେ ସୁପ୍ରିମ କୋର୍ଟ ସିଧା ସଳଖ ଭାବେ ହାଜତ ମୃତ୍ୟୁ ଉପରେ ଏକ ଟିପ୍ପଣୀ ପ୍ରକାଶ କରିଥିବା ବେଳେ ଆମ ରାଜ୍ୟରେ ତାହାକୁ କେତେ ଦୁର ପାଳନ କରାଯାଉଛି ତାହା ଏବେ ବି ଅସ୍ପଷ୍ଟ ହୋଇ ରହିଯାଇଛି । ଖୋଦ ଗୃହ ମନ୍ତ୍ରୀ ମଧ୍ୟ ଏହା ଉପରେ ଅବଗତ ନାହାନ୍ତି । ଏଣୁ ପୋଲିସ ତାର ଆକ୍ରୋଷ ମୁଳକ କାର୍ଯ୍ୟ ପାଇଁ ସାଧାରଣ ଜନତାଙ୍କ ନିକଟବର୍ତ୍ତୀ ହେବା ପରିବର୍ତ୍ତେ ଦୁରେଇ ଯାଉଛି ।

Spread the love

Leave a Reply

Your email address will not be published. Required fields are marked *