୧୫ରେ ମହିଳା ସମାବେଶ
ଭୁବନେଶ୍ୱର, ୬/୩: ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ସ୍ଥିତ ରଘୁନାଥପୁର ପଞ୍ଚାୟତରେ ବିରାଟ ମହିଳା ସମାବେଶ ଅନୁଷ୍ଠିତ ହେବ । ଏଥିରେ ନିର୍ବାଚନ ମଣ୍ଡଳୀର ସମସ୍ତ ୱାର୍ଡ ଓ ପଞ୍ଚାୟତର ମହିଳାମାନେ ଯୋଗଦାନ କରିବେ । ଏନେଇ ଆଜି ପଟିଆ ସ୍ଥିତ ଏକ ଘରୋଇ ମଣ୍ଡପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତର ନିର୍ବାଚନ ମଣ୍ଡଳୀର ସମସ୍ତ କର୍ପୋରେଟର, ସମିତି ସଭ୍ୟ, ସରପଞ୍ଚ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ । ବିଜୁ ଜନତା ଦଳ ପକ୍ଷରୁ ଜାତୀୟ ମହିଳା ଦିବସ ୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପି ପାଳନ ହେବାକୁ ନିଷ୍ପତ୍ତି ନିଆଯାଇଛି । ମାର୍ଚ୍ଚ ୮ ତାରିଖରେ ବିଜେଡି ପାର୍ଟି ଅଫିସ୍ରେ ଏହା ପାଳନ ହେବାକୁ ଥିବା ବେଳେ ୯ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ ବୋଲି ବିଧାୟକ ଶ୍ରୀ ରାଉତ କହିଛନ୍ତି ।
ସେ ଆହୁରି କହିଛନ୍ତି ନବୀନ ବାବୁ ସବୁବେଳେ ନାରୀମାନଙ୍କୁ ଅଗ୍ରାଧିକାର ଦେଇଆସୁଛନ୍ତି । ସେମାନଙ୍କ ପାଇଁ ବିଭିନ୍ନ ଉନ୍ନତି ମୂଳକ ଯୋଜନା ମଧ୍ୟ କରାଯାଉଛି । ସେମାନେ ଖୁସିରେ ରହିଲେ ପରିବାର, ରାଜ୍ୟ, ଦେଶ ସମସ୍ତେ ଖୁସିରେ ରହିବେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ସୁବାଷ ପାତ୍ର, ନବନିର୍ବାଚିତ ଉତ୍ତର ସଭାପତି ସୂର୍ଯ୍ୟକାନ୍ତି ଜେନା ଓ ପର୍ଯ୍ୟବେକ୍ଷକ ସରୋଜିନୀ ନନ୍ଦ, ସଂଯୁକ୍ତା ମହାନ୍ତି ଓ କୁନୁମୁନି ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।