୯ରୁ ମାସ୍କ ବାଧ୍ୟତା ମୂଳକ
ଭୁବନେଶ୍ୱର: କୋଭିଡ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ଡାଉନ୍ ଓ ସଟ୍ଡାଉନ୍ ଭଳି କଠୋର ପଦକ୍ଷେପ ପରେ ଏବେ ସରକାର ଗାଡ଼ି ଚଳାଚଳ ଉପରେ କଟକଣା ଜାରି କରିବା ସହିତ ମାସ୍କ ପିନ୍ଧାକୁ ବାଧ୍ୟତାମୂଳକ କରିଛନ୍ତି ।
ଏଣିକି କୌଣସି ବ୍ୟକ୍ତି ରାସ୍ତାକୁ ଗାଡ଼ି ବାହାର କରିପାରିବେ ନାହିଁ । ପରିବା କିଣିବା ବା ବଜାରକୁ ଯିବା ପାଇଁ ଗାଡ଼ି ବ୍ୟବହାର କରିପାରିବେ ନାହିଁ । ଗାଡ଼ି ବାହାରକୁ ବାହାର କଲେ ପୁଲିସ ତାହାକୁ ସିଜ୍ କରିବ । ଅତ୍ୟାବଶ୍ୟକ ଦ୍ରବ୍ୟ କିଣିବା ପାଇଁ ଚାଲିଚାଲି ଯିବାକୁ ହେବ । କେହି ଏହି ନିୟମକୁ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ରାଜ୍ୟ ସରକାରଙ୍କ କୋଭିଡ ପ୍ରବକ୍ତା ସୁବ୍ରତୋ ବାଗ୍ଚୀ ସତର୍କ କରାଇ ଦେଇଛନ୍ତି । ଏହି ନିୟମ ଲାଗୁ ହେବା ପରେ ଆଜି କେବଳ ଭୁବନେଶ୍ୱର ଓ କଟକରେ ୨୩୧୫ ଗାଡ଼ି ଜବତ ହୋଇଛି ।
ସେହିପରି ଆଗାମୀ ୯ ତାରିଖ ସକାଳ ୭ଟାଠାରୁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି ଭାବେ ପାଳନ ହେବ । କେହି ମାସ୍କ ନପିନ୍ଧି ଘରୁ ବାହାରିପାରିବେ ନାହିଁ ବୋଲି ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । କରୋନା ଭାଇରସକୁ ନେଇ ରହିଥିବା ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଆଇନ- ୨୦୦୫ର ଧାରା ୨୪ର ପ୍ରାବଧାନ ଅନୁସାରେ ଯେକୌଣସି କାମ ପାଇଁ କେହି ଲୋକ ଘରୁ ବାହାରିବାବେଳେ ନିଜର ମୁହଁ ଓ ନାକକୁ ମାସ୍କ ବା ରୁମାଲରେ ଘୋଡ଼ାଇବା ଜରୁରି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜନସାଧାରଣ ନିଜ ମୁହଁ ଓ ନାକକୁ ଘୋଡ଼ାଇବା ପାଇଁ ରୁମାଲ କିମ୍ବା ଅନ୍ୟ କୌଣସି କପଡ଼ାକୁ ଦୁଇଥାକିଆ କରି ବାନ୍ଧିବେ । ଜନଗହଳି ଯେଭଳି ନହେବ ତାହା ସୁନିଶ୍ଚିତ କରିବା ସହ ମୁହଁରେ ରୁମାଲ, ଗାମୁଛା, ଓଢ଼ଣୀ ଅବା ସ୍କ୍ରାଫ୍ ଭଳି କପଡ଼ାକୁ ଘରୁ ବାହାରିବାବେଳେ ମୁହଁ ଓ କାନକୁ ଯେପରି ଘୋଡ଼ାଇବେ, ସେଥିପ୍ରତି କଡ଼ାକଡ଼ି ଦୃଷ୍ଟିଦେବାକୁ ଜିଲ୍ଲା ଓ ପୌର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଲୋକ ଥରେ ବ୍ୟବହାର ହେଉଥିବା ମାସ୍କ ବ୍ୟବହାର କରୁଥିଲେ, ତାହାକୁ ନଷ୍ଟ କରାଯିବା ଉଚିତ୍ । ସେହିପରି କପଡ଼ାରେ ପ୍ରସ୍ତୁତ ହୋଇଥିବା ମାସ୍କକୁ ଥରେ ବ୍ୟବହାର କରିବା ପରେ ତାକୁ ସାବୁନ, ଡିଟରଜେଣ୍ଟରେ ସଫା କରି ଅତିକମରେ ଖରାରେ ୫ଘଣ୍ଟା ଶୁଖାଇବେ । ଜଣେ ବ୍ୟକ୍ତି ପିନ୍ଧିଥିବା ମାସ୍କକୁ ଅନ୍ୟ ଜଣେ ବ୍ୟବହାର କରିବେ ନାହିଁ ।
ମୁଖ୍ୟ ସଚିବ ତଥା ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ପରିଚାଳନା କାର୍ଯ୍ୟନିର୍ବାହୀ କମିଟିର ଅଧ୍ୟକ୍ଷ ଅସିତ୍ କୁମାର ତ୍ରିପାଠୀଙ୍କ ଦସ୍ତଖତରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ସୂଚନାଯୋଗ୍ୟ ଯେ ଗଞ୍ଜାମ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହା ପୂର୍ବରୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିବା ସହିତ ଜୋରିମାନାର ବ୍ୟବସ୍ଥା କରିଛନ୍ତି ।