ଅଗଷ୍ଟ ୧୫ ସୁଦ୍ଧା ବଜାରକୁ ଆସିବ ଭାରତର ନିଜସ୍ୱ କରୋନା ଭାକ୍ସିନ

ଭୁବନେଶ୍ୱର: ଦିନକୁ ଦିନ କରୋନା ତାର କରାଳରୂପ ବିଶ୍ୱବାସୀଙ୍କୁ ଦେଖାଇ ଚାଲିଥିବା ବେଳେ ଏବେ ଭାରତ ଆଣିଛି ଖୁସି ଖବର । ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ କରୋନା ଭାକ୍ସିନ ବଜାରରେ ଉପଲବ୍ଧ ହୋଇପାରିବ ବୋଲି ଭାରତୀୟ ଭେଷଜ ବିଜ୍ଞାନ ପରିକ୍ଷଣ ପରିଷଦ ବା ଆଇସିଏମଆର ପକ୍ଷରୁ ଆଶା ପୋଷଣ କରାଯାଇଛି । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ଏହି ଭାକ୍ସିନ ଅଗଷ୍ଟ ୧୫ ସୁଦ୍ଧା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରିବାକୁ ଚେଷ୍ଟା ଜାରି ରହିଥିବା କୁହାଯାଇଛି ।

ଭାରତ ବାୟୋଟେକ୍ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଭାକ୍ସିନକୁ ମଣିଷ ଦେହରେ ପରୀକ୍ଷଣ ପାଇଁ ଅନୁମତି ମିଳିସାରିଛି । ଏପରିକି ଏହି ଭାକ୍ସିନ ଆସନ୍ତା ୭ତାରିଖଠାରୁ ମଣିଷ ଦେହରେ ପରୀକ୍ଷଣ ଆରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଯଦି ପରୀକ୍ଷଣ ସଠିକ ଭାବେ ଚାଲିଲା ଏବଂ ଏହି ଭାକ୍ସିନ ସଠିକ ଭାବେ ମନୁଷ୍ୟ ଦେହରେ କାର୍ଯ୍ୟ କରିଲା ତେବେ ଅଗଷ୍ଟ ୧୫ ସୁଦ୍ଧା ଏହା ବଜାରରେ ଉପଲବ୍ଧ ହୋଇପାରିବ । ମନୁଷ୍ୟ ଦେହରେ ଫେଜ ୧ ଓ ଫେଜ ୨ ପରୀକ୍ଷଣ ପାଇଁ କମ୍ପାନୀକୁ ଅନୁମତି ମିଳିସାରିଛି ।

ବିଶେଷ କରି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଏହି ଭାକ୍ସିିନର ନାମ କୋଭାକ୍ସିନ ରଖାଯାଇଥିବା ବେଳେ ଏହା ନିଶ୍ଚିତ ଭାବେ ସଫଳ ହେବ ବୋଲି ବୈଜ୍ଞାନିକ ମାନେ ଅଶାପୋଷଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଭାରତ ବାୟୋଟେକ ପକ୍ଷରୁ ପୋଲିଓ, ରାବିଜ, ରୋଟାଭାଇରସ, ଜପାନିଜ ଏନସେଫାଲାଇଟିସ, ଚିକୁନ ଗୁନିଆ ଏବଂ ଜିକାଭାଇରସ ପରି ଭାକ୍ସିନ ତିଆରି କରାଯାଇ ସାରିଛି । ଏଗୁଡିକ ବିଶ୍ୱବଜାରରେ ମଧ୍ୟ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଏଣୁ ଏହି ଭାକ୍ସିନ ମଧ୍ୟ ବେଶ ସଫଳ ହେବ ବୋଲି ବୈଜ୍ଞାନିକ ମାନେ ମତ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *