ଆଇଏନ୍ଏସ୍ ଚିଲିକାରେ ପୂର୍ବତନ ନୌସୈନିକଙ୍କ ପରିବାର ମିଳନ
ଚିଲିକା, ୧୦/୧୧ : ନୌସେନା ଦିବସର ଅବ୍ୟବହିତ ପୂର୍ବରୁ ଭାରତୀୟ ନୌସେନାର ପ୍ରାଥମିକ ପ୍ରଶିକ୍ଷଣ ସଂସ୍ଥାନ ଆଇଏନ୍ଏସ୍ ଚିଲିକାରେ ଆଜି ଅବସରପ୍ରାପ୍ତ ପୂର୍ବତନ ନୌସୈନିକ ପରିବାରମାନଙ୍କର ଏକ ପାରିବାରିକ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ପୂର୍ବତନ ନୌସୈନିକଙ୍କ ପରିବାର ଏକତ୍ରିତ ହୋଇଥିଲେ ।
ଅବସରପ୍ରାପ୍ତ ନୌସୈନିକମାନେ ନିଜ ନିଜର ପ୍ରାଥମିକ ପ୍ରଶିକ୍ଷଣ ଦିନଗୁଡ଼ିକର କଥା ମନେ ପକାଇ ବିଗତ ସ୍ମୃତିକୁ ରୋମନ୍ଥନ କରିବା ସହ ସ୍ୱପରିବାରମାନଙ୍କୁ ସେ ବିଷୟରେ ଅବଗତ କରାଇଥିଲେ । ଆଇଏନ୍ଏସ୍ ଚିଲିକାର କମାନ୍ ଅଧିକାରୀ କମୋଡୋର ଋତୁରାଜ ସାହୁ ସମସ୍ତ ପୂର୍ବତନ ନୌସୈନିକଙ୍କ ପରିବାରବର୍ଗଙ୍କୁ ଉପରୋକ୍ତ ପ୍ରାଥମିକ ପ୍ରଶିକ୍ଷଣ ସଂସ୍ଥାନକୁ ସ୍ୱାଗତ କରିବା ସହ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ପରିଭ୍ରମଣ ମାଧ୍ୟମରେ ସମ୍ବର୍ଦ୍ଧିତ କରିଥିଲେ ।
ଭେଟେରାନ୍ସ କ୍ଲବ ଓଡ଼ିଶା ଏବଂ ଆଇଏନ୍ଏସ୍ ଚିଲିକାର ମିଳିତ ପ୍ରୟାସରେ ଅନୁଷ୍ଠିତ ଏଭଳି କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଆୟୋଜିତ ହୋଇଥିଲାବେଳେ ସମସ୍ତ ନୌସୈନିକଙ୍କ ପରିବାର ଏନେଇ ଅତ୍ୟନ୍ତ ଉତ୍ସାହିତ ରହିଥିଲେ । ଆଗାମୀ ନୌସେନା ଦିବସ ଅବସରରେ ହେବାକୁ ଥିବା ଅନ୍ୟ କାର୍ଯ୍ୟକ୍ରମଗୁଡ଼ିକ ସମ୍ପର୍କରେ କମାନ୍ ଅଧିକାରୀ ଉପସ୍ଥିତ ସମସ୍ତ ପରିବାରଙ୍କୁ ସୂଚନା ଦେଇଥିଲେ ଏବଂ ଭବ୍ୟ କାର୍ଯ୍ୟକ୍ରମଗୁଡ଼ିକର ସଫଳ ରୂପାୟନ ପାଇଁ ସମସ୍ତେ ନିଜ ନିଜର ପରିବାର ସହ ଉପସ୍ଥିତ ରହିବାକୁ ନିବେଦନ କରିଥିଲେ ।
ପ୍ରଶିକ୍ଷାର୍ଥୀମାନଙ୍କ ଦ୍ଵାରା ପ୍ରସ୍ତୁତ ମନୋରଞ୍ଜନ କାର୍ଯ୍ୟକ୍ରମ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଭାବ ଉଦ୍ଦେପକ ରହିଥିଲା । ବିଶେଷ ଭାବରେ ନୌସୈନିକଙ୍କ ପ୍ରଶିକ୍ଷଣ ସମୟର ଦୈନିକ କ୍ରିୟାକଳାପ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମ ଚିତ୍ତାକର୍ଷକ ହୋଇଥିଲା ।
ଭେଟେରାନ୍ସ କ୍ଲବ ଓଡ଼ିଶା ସଭାପତି ଭେଟେରାନ୍ ବିଦ୍ୟାଧର ନାୟକ ସମସ୍ତ ଭେଟେରାନ୍ସଙ୍କ ପକ୍ଷରୁ ନିଜର ବକ୍ତବ୍ୟ ରଖି ପ୍ରଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା ସହ ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଦେଶକୁ ସର୍ବୋତ୍ତମ ସେବା ପ୍ରଦାନ କରିବା ପାଇଁ ପ୍ରେରିତ କରିଥିଲେ ।
ଏହି ଅନନ୍ୟ କାର୍ଯ୍ୟକ୍ରମର ସଫଳ ସଂଯୋଜନା ପାଇଁ କମାନ୍ ଅଧିକାରୀଙ୍କ ସମେତ ଆଇଏନ୍ଏସ୍ ଚିଲିକାର ପରିଚାଳନା ଅଧିକାରୀ ତ୍ରିଲୋଚନ ରାଉତ, ଆଇଏନ୍ଏଚ୍ଏସ୍ ନିବାରିଣୀ କମାନ୍ ଅଧିକାରୀ କ୍ୟାପଟେନ ଜୟଦୀପ ଚୌଧୁରୀ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତି ଅରୁନ୍ଧତୀ ଚୌଧୁରୀ, ନୱା ପ୍ରେସିଡେଣ୍ଟ ଶ୍ରୀମତୀ ସଙ୍ଗୀତା ସାହୁ ଏବଂ ଅନ୍ୟ ସହଯୋଗୀ ନୌସୈନିକମାନଙ୍କୁ ନିଜର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ ।