‘ଏକ ଭାରତ ଶ୍ରେଷ୍ଠ ଭାରତ’ରେ ସୋଆ ଏନ୍ଏସ୍ଏସ୍
ଭୁବନେଶ୍ୱର, ଅକ୍ଟୋବର ୧: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ ଖେଳ ମନ୍ତ୍ରାଣଳୟ ପକ୍ଷରୁ ଆୟୋଜିତ “ଏକ ଭାରତ ଶ୍ରେଷ୍ଠ ଭାରତ” ୱେବିନାରରେ ଓଡ଼ିଶା ଓ ମହାରଷ୍ଟ୍ର ନିଜ ନିଜ ରାଜ୍ୟର ସାଂସ୍କୃତିକ ଧରୋହର ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ‘ପଡୋଶୀ ରାଜ୍ୟ ଓ ଭାରତର ସାଂସ୍କୃତିକ ଏକତାକୁ ହୃଦୟଙ୍ଗମ କରିବା’ ।
ଓଡ଼ିଶା ପକ୍ଷରୁ ସୋଆ ଏନ୍ଏସ୍ଏସ୍ ସଂଯୋଜକ ଡ. ନଚିକେତା ଶର୍ମା ଏହି ୱେବିନାର ମାଧ୍ୟମରେ ଓଡ଼ିଶାର ନୃତ୍ୟ, ଲୋକ ସଂଗୀତ, ବାଦ୍ୟଯନ୍ତ୍ର, ଜନପ୍ରିୟ ସ୍ଥାନୟୀ ସଂଗୀତ ଉପରେ ଏକ ତଥ୍ୟ ଉପସ୍ଥପାନ କରିଥିଲେ । ଓଡ଼ିଶୀ, ଗୋଟିପୁଅ, ଛଉ, ଦଣ୍ଡ ନାଚ, ଘୁମୁରା ନାଚ, ଦ୍ୱାରୀ ନାଚ, ପାଲା, ଦାଶକାଠିଆ, ଡାଲଖାଇ, ସମ୍ବଲପୁରୀ, ରଣପା, ମେଢ ନାଚ, ଚଇତି ଘୋଡା ନାଚ, ଚକୁଳିଆ ପଣ୍ଡା, କେନ୍ଦେରା ଗୀତ, ଓଡ଼ିଶାର ବାଦ୍ୟଯନ୍ତ୍ର ଇତ୍ୟାଦି ବିଷୟରେ ଉଭୟ ଓଡ଼ିଶା ଓ ମହାରାଷ୍ଟ୍ରର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ କର୍ମକର୍ତାଙ୍କୁ ସେ ଅବଗତ କରାଇଥିଲେ ।
ସେହିପରି ଏହି ୱେବିନାରରେ ମହାରାଷ୍ଟ୍ର ମଧ୍ୟ ନିଜ ରାଜ୍ୟର ସଂଗୀତ ନୃତ୍ୟ, ପର୍ବପର୍ବାଣୀ ବିଷୟରେ ଏକ ଉପସ୍ଥାପନା କରିଥିଲା । ପ୍ରଥମରେ ମୁଖ୍ୟ ଅତିଥି ଯୁବ ବ୍ୟାପାର ସଚିବ ଶ୍ରୀମତି ଉଷା ଶର୍ମା ଉଦ୍ବୋଧନ ଦେଇଥିବା ବେଳେ ଯୁଗ୍ମ ସଚିବ ଅସିତ ସିଂହ ପ୍ରାରମ୍ଭିକ ସୂଚନା ଦେଇଥିଲେ । କେନ୍ଦ୍ରିୟ ଏନ୍ଏସ୍ଏସ୍ ନିର୍ଦ୍ଦେଶାଳୟର ଏପିଏ ଡ. କମଳ କୁମାର କର ଏହି ୱେବିନାରକୁ ପରିଚାଳନା କରିଥିଲେ । ଆଂଚଳିକ ଏନ୍ଏସ୍ଏସ୍ ନିର୍ଦ୍ଦେଶକ, ଆର୍. ସାଇଦା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।
ମହାରାଷ୍ଟ୍ର ଓ ଓଡ଼ିଶାର ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ, କର୍ମକର୍ତାଙ୍କ ସହିତ ପ୍ରାୟ ୨୦୦ରୁ ଅଧିକ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।