ଓଡ଼ିଶା: କରୋନା ପର୍ଯ୍ୟବେସିତ କ୍ୟାବିନେଟ
ପ୍ରବାସୀଙ୍କ ଜୀବିକା ପାଇଁ ୧୭ହଜାର କୋଟି ବ୍ୟୟମଞ୍ଜୁର
ଭୁବନେଶ୍ୱର: ନବୀନ ସରକାରଙ୍କର ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କରୋନା ପର୍ଯ୍ୟବେସିତ କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । ଏହି କ୍ୟାବିନେଟରେ ବିଶେଷ କରି କରୋନକୁ ଫୋକସରେ ରଖାଯାଇ ବିଭିନ୍ନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବିଶେଷ କରି ରାଜ୍ୟରେ ପ୍ରବାସୀମାନଙ୍କର ପ୍ରତ୍ୟାବର୍ତ୍ତନ ହେଉଥିବାରୁ ସେମାନଙ୍କୁ ଜୀବିକା ଯୋଗାଇ ଦେବା ପାଇଁ ୧୭ହଜାର କୋଟି ଟଙ୍କାର ବ୍ୟୟ ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି ।
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୨୨ଟି ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଛି । ଅର୍ଥ, ରାଜସ୍ୱ, ଖାଦ୍ୟ ଯୋଗାଣ, ସମବାୟ, ସଂସ୍କୃତି ବିଭାଗର ପ୍ରସ୍ତାବକୁ ଅନୁମୋଦନ ମିଳିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ଚଳଚଞ୍ଚଳ କରିବା ପାଇଁ ୨୦୧୬ ପର୍ଯ୍ୟଟନ ନୀତିରେ ସଂଶୋଧନ ଆଣିଛନ୍ତି ରାଜ୍ୟ ସରକାର । ପ୍ରବାସୀଙ୍କୁ ଜୀବିକା ଯୋଗାଇବାକୁ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇଛି । ଏଥିପାଇଁ ୧୭ ହଜାର କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି । ଜୁନ ୨୦୨୦ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ ଏହି ଟଙ୍କା ଖର୍ଚ୍ଚ ହେବ । ଗ୍ରାମାଞ୍ଚଳରେ ଜୀବିକା ଯୋଗାଇଦେବାକୁ ଏହି ତାଲିକା ପ୍ରସ୍ତୁତ କରାଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ପ୍ରବାସୀଙ୍କୁ ଜୀବିକା ଯୋଗାଇ ଦେବା ନେଇ ଯୋଜନା କରାଯାଇଛି ।
ଗ୍ରାମାଞ୍ଚଳରେ କୃଷି ପାଇଁ ୨ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ଦ୍ୱାରା ୨୪ ଲକ୍ଷ ୫୬ ହଜାର ଚାଷୀ ଉପକୃତ ହେବେ । ଏହାଛଡ଼ା ୪ ହଜାର ପାନଚାଷୀଙ୍କ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହେବ । ୧୦ ହଜାର ଚାଷୀ ଓ ୫ ହଜାର ଏସଏଚଜିକୁ ଛତୁ ଚାଷ ପାଇଁ ସହାୟତା ମିଳିବ । ମତ୍ସ୍ୟଚାଷରେ ୧୧୧.୪୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ମୁଖ୍ୟ ଶାସନ ସଚିବଙ୍କ ସୂଚନା ଅନୁସାରେ କ୍ୟାବିନେଟରେ ଅଣ୍ଡର ଗ୍ରାଜୁଏଟ୍ କୋର୍ସକୁ ପ୍ରଫେସନାଲ୍ କୋର୍ସର ମାନ୍ୟତା ଦେବା ପାଇଁ ମଞ୍ଜୁରୀ ମିଳିଥିବା ବେଳେ ପର୍ଯ୍ୟଟନ ପ୍ରକଳ୍ପ, ହୋଟେଲ ଓ ରେଷ୍ଟୁରାଣ୍ଟ ଲାଗି ଇଡକୋ ଜମି ଯୋଗାଇବ ପାଇଁ ନିଷ୍ପତ୍ତି ନିଆଯାଇଛି ।
ସେହିପରି କ୍ୟାସ୍ କ୍ରେଡିଟ୍ ଆକାରରେ ଆସ୍କା ସୁଗାର୍ କୋ-ଅପରେଟିଭ୍ ସୋସାଇଟିକୁ ୧୫ କୋଟି ଟଙ୍କାର ଋଣର ସହାୟତା ଦେବାକୁ କ୍ୟାବିନେଟର ଅନୁମୋଦନ ମିଳିଛି । ଏହି ଟଙ୍କା ଆଖୁ ଚାଷୀଙ୍କୁ ଆସ୍କା କୋ-ଅପରେଟିଭ୍ ସୁଗାର୍ ଲିଃ. ପ୍ରଦାନ କରିବ ।
ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ କାର୍ଯ୍ୟକ୍ରମରେ ପିଲାଙ୍କୁ ସହାୟତା ପ୍ରଦାନ କରାଯିବ । ୩ ରୁ ୬ ବର୍ଷ ପିଲାଙ୍କୁ ମାଗଣାରେ ଜୋତା ଏବଂ ସ୍ୱେଟର୍ ପ୍ରଦାନ କରାଯିବ । ଓରେଡ଼ାକୁ ଶକ୍ତି ବିଭାଗ ବିଭାଗ ଅଧିନକୁ ଅଣାଯାଇଥିବା ବେଳେ ଏଗ୍ରିକଲଚର୍ ଆକ୍ଟ୍ ୧୯୫୬ରେ ସଂଶୋଧନକୁ ଅନୁମୋଦନ ମିଳିଛି, ଫଳରେ ଇ-ମାର୍କେଟ୍ ଜରିଆରେ ଉତ୍ପାଦନକୁ ବିକି ପାରିବେ ଚାଷୀ । ସୋସାଇଟ୍ ଆକ୍ଟରେ ପରିବର୍ତ୍ତନ ହୋଇଛି । ଏନଡିଆରଏଫର କମ୍ପାନୀ ହେଡକ୍ୱାର୍ଟର ପାଇଁ ବାଲେଶ୍ୱରରେ ୩ଏକର ୫୦ ଡିସିମିଲ ଜମି ଯୋଗାଇ ଦେବା ପାଇଁ ମଧ୍ୟ ଏହି କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।
କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟକୁ ଏକ ଟଙ୍କା ଭଡାରେ ଜମି ଯୋଗାଇ ଦେବା ସହ ଏକ ହଜାର ଏକର ଜମି ଉପରେ ଢ଼େଙ୍କାନାଳରେ ଏକ ମେଡିକାଲ ପାର୍କ ନିର୍ମାଣ ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭଦ୍ରକ ଧାମରାଠାରେ ଏକ ଟେକ୍ସଟାଇଲ୍ ପାର୍କ ନିର୍ମାଣ ପାଇଁ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।