ନିରଞ୍ଜନ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଲେ
ଭୁବନେଶ୍ୱର, ଅପ୍ରେଲ ୨୯: ସୋମବାର ଦିନ ଓଡ଼ିଶାର ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ସହ ଓଡ଼ିଶାରେ ନିର୍ବାଚନ ଶେଷ ହୋଇଛି । ଚଳିତ ଥର ବିଜେଡ଼ି ଏବଂ ବିଜେପି ଲୋକମତକୁ ପ୍ରଭାବିତ କରିବା ପାଇଁ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇବା ସହିତ ଇଭିଏମ୍ ମେସିନ୍ ଭାଙ୍ଗିବା ଓ କଂଗ୍ରେସର ରାଜ୍ୟ ନେତୃବୃନ୍ଦଙ୍କ ଉପରେ ଆକ୍ରମଣ କରିବା ଭଳି ଘଟଣା ଘଟାଇଛନ୍ତି ।
ଏହା ସତ୍ତ୍ବେ ଓଡ଼ିଶାବାସୀ ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ଯେଉଁ ଭଳି ଭାବରେ ନିଜର ମୌଳିକ କତ୍ତବ୍ୟ ସମ୍ପାଦନ କରିଛନ୍ତି ଏଥିପାଇଁ ମତଦାତା ମାନେ ଧନ୍ୟବାଦର ପାତ୍ର ।
ବିଜେଡ଼ି ଓ ବିଜେପିର ବ୍ୟୟବହୁଳ ପ୍ରଚାର ଓ ଅର୍ଥ କାରବାର ଆଗରେ କଂଗ୍ରେସ ପଛରେ ରହିଥିଲେ ମଧ୍ୟ ବିକାଶର ସଂକଳ୍ପ ନେଇ ସାଧାରଣ ଜନତାଙ୍କୁ ଯେଉଁ ଭରଷା ଦେଇଛି ସେଥିରୁ ପଛେଇବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବରେ ପରିଚାଳନା ଦିଗରେ କଂଗ୍ରେସର କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ସମସ୍ତ ଦଳୀୟ କର୍ମକର୍ତ୍ତା ଓ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ଓ ଦଳୀୟ କର୍ମୀ ଯେଭଳି ଭାବରେ କାର୍ଯ୍ୟ କରିଛନ୍ତି ସେଥିପାଇଁ ସେମାନଙ୍କୁ ଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଛନ୍ତି ।
ପ୍ରିଜାଇଡିଂ କର୍ମଚାରୀ, ନିର୍ବାଚନ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନେ ସେମାନଙ୍କ ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ପରିଚାଳନାଗତ ତ୍ରୃଟି ଓ ଶାସକ ଦଳର ବିଶୃଙ୍ଖଳାକୁ ଦୃଷ୍ଟିକୁ ଆଣିଛନ୍ତି ସେଥିପାଇଁ କଂଗ୍ରେସ ସେମାନଙ୍କୁ ଅଭିନନ୍ଦନ ଜଣାଇଛି । ଏହି ନିର୍ବାଚନ ଫଳାଫଳ କଂଗ୍ରେସ ସପକ୍ଷରେ ଯିବ ବୋଲି ଶ୍ରୀ ପଟ୍ଟନାୟକ ଆଶାପୋଷଣ କରିଛନ୍ତି ।