କଟକରେ କିଟ୍ସ ଅଭାବ, ପରୀକ୍ଷା ହୋଇପାରୁନି ନମୁନା
ଭୁବନେଶ୍ୱର: ରାଜଧାନରେ ସାତ ଦିନରେ ୫ହଜାର ପରୀକ୍ଷା ପାଇଁ ଶପଥ ନେଇଥିବା ରାଜ୍ୟସରକାର କିନ୍ତୁ କଟକକୁ କରୋନା ଟେଷ୍ଟିଂ କିଟ୍ସ ଯୋଗାଇବାରେ ସମର୍ଥ ହୋଇପାରୁନାହାନ୍ତି । କଟକ ବଡ ଡାକ୍ତରଖାନାକୁ ଆସିଥିବା କୋଭିଡ ନମୁନା ପରୀକ୍ଷା ହୋଇ ନପାରି ପଡି ରହିଛି । ଗତ କାଲି ରାତିପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ଟେଷ୍ଟିଂ କିଟ୍ସ ପାଇଁ ଅପେକ୍ଷା କରିଥିଲେ ମଧ୍ୟ ଟେଷ୍ଟିଂ କିଟ୍ସ ପହଞ୍ଚି ନପାରିବାରୁ ସଂଗୃହିତ ହୋଇଥିବା ନମୁନା ସବୁ ପଡି ରହିଛି ।
ଏସସିବିକୁ ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଢ଼େଙ୍କାନାଳ ଓ ପୁରୀ ପ୍ରଭୃତି ଅଂଚଳରୁ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ଆସିଥାଏ । ବଡ ଡାକ୍ତରଖାନାକୁ ଯୋଗାଇ ଦିଆଯାଇଥିବା ଟେଷ୍ଟିଂ କିଟ୍ସ ସମାପ୍ତ ହୋଇଯାଇଥିବାରୁ ଏଠାରେ ଥିବା ଦୁଇଟି ଯାକ ଲାବ ବନ୍ଦ ହୋଇ ପଡିରହିଛି । ଏପରିକି ବାଲେଶ୍ୱର ଆକ୍ରାନ୍ତ ବ୍ୟକ୍ତିଙ୍କର କଣ୍ଟାକ୍ଟ ଟ୍ରେସିଂରେ ଆସିଥିବା ନମୁନା ମଧ୍ୟ ପରୀକ୍ଷା ନହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ପଡି ରହିଥିବା ଜଣାପଡିଛି ।