କଟକ ୱାଇଏମସିଏର ୧୨୫ତମ ପ୍ରତିଷ୍ଠା ଦିବସ
କଟକ, ଅପ୍ରେଲ ୨୬: ୱାଇଏମସିଏର ୧୨୫ତମ ପ୍ରତିଷ୍ଠା ଦିବସ ଆସନ୍ତା ୨୭ ଓ ୨୮ ତାରିଖରେ ପାଳନ ହେବାକୁ ଯାଉଛି । ୱାଇଏମସିଏ, କଟକ ୧୮୯୩ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା ଏବଂ ଏହା ହେଉଛି ପୂର୍ବ ଭାରତର ଦ୍ୱିତୀୟ ପୁରାତନ ୱାଇଏମସିଏ । ୱାଇଏମସିଏ, କଟକ ହେଉଛି ଅନ୍ତର୍ଜାତୀୟ ୱାଇଏମସିଏର ଏକ ଅଂଶ ଏବଂ ୭ ଫେବୃୟାରୀ ୧୯୭୭ ମସିହାରେ ୧୮୬୦-ସୋସାଇଟୀ ରେଜିଷ୍ଟ୍ରେସନ ଆକ୍ଟରେ ଏହାର ନାମ ପଞ୍ଜୀକରଣ ହୋଇଛି ।
ଏହି ଅବସରରେ ଆଜି ୱାଇଏମସିଏର ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏଥିରେ ସଭାପତି ଏବଂ ବୋର୍ଡ଼ ଅଫ୍ ଡାଇରେକ୍ଟର ଡଃ ରାଜ ବଲ୍ଲଭ ମହାନ୍ତି, ଦେବେଶ କୁମାର ରାଉଳ, ବୋର୍ଡ଼ ସଦସ୍ୟ ଉପସ୍ଥିତ ରହି ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ । ୱାଇଏମସିଏର ୧୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମିଃ ଜାକୋବ କୋଷି, ଉପସଭାପତି, ନ୍ୟାସନାଲ କାଉନସିଲ୍ ଅଫ୍ ୱାଇଏମସିଏ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଡଃ ରାଜ ବଲ୍ଲଭ ମହାନ୍ତି ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ଏହି ଅବସରରେ ମୁଖ୍ୟଅତିଥି ମିଃ ଜାକୋବଙ୍କ ଦ୍ୱାରା ଏକ ବିଶେଷ ସ୍ମାରକୀ ଉନ୍ମୋଚନ ହେବ ବୋଲି ସେ କହିଥିଲେ ।
ୱାଇଏମସିଏର ୧୨୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଭାରତର ୫ ଟି ରାଜ୍ୟ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ସିକିମ ଏବଂ ଓଡ଼ିଶାର ୧୭ଟି ୱାଇଏମସିଏରୁ ପ୍ରତିନିଧିମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ୱାଇଏମସିଏ ହେଉଛି ଏକ ସଦସ୍ୟଭିତ୍ତିକ ସଂଗଠନ ଏବଂ ଏହା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ । ସମଗ୍ର ଭାରତରେ ୧୫୦୦ ରୁ ଊଦ୍ଧ୍ୱର୍ ୱାଇଏମସିଏ ରହିଛି ।
ୱାଇଏମସିଏ, କଟକ ହେଉଛି ଏକ କାର୍ଯ୍ୟକ୍ରମ ଆଧାରିତ ସଂଗଠନ ଏବଂ ଏହା ସାଧାରଣତଃ ପଛୁଆବର୍ଗ ଏବଂ ବିଶେଷ ଭାବେ ଯୁବବର୍ଗଙ୍କୁ ସହାୟତା ଯୋଗାଇଥାଏ । ୱାଇଏମସିଏ, କଟକ ଓଡ଼ିଶାର ଯୁବବର୍ଗଙ୍କୁ ସେମାନଙ୍କ ରୁଚି ମୁତାବକ କ୍ରୀଡ଼ାରେ ଯେପରିକି ବାଡମିଣ୍ଟନ୍, ବାସ୍କେଟ ବଲ ଏବଂ ଟେବୁଲ ଟେନିସ ପାଇଁ ଭିତ୍ତିଭୂମି ଏବଂ ପ୍ରୋତ୍ସାହନ ଯୋଗାଇବା ସହିତ ସହାୟତା ମଧ୍ୟ କରିଥାଏ ।
ୱାଇଏମସିଏ, କଟକ ପ୍ରତିବର୍ଷ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଆନ୍ତଃ ବିଦ୍ୟାଳୟ ସାହିତ୍ୟ ପ୍ରତିଯୋଗିତା (ଆଇଏସ୍ଏଲ୍ସି) ଆୟୋଜନ କରିଥାଏ ।
ଓଡ଼ିଶାରେ ଅନେକ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ୱାଇଏମସିଏ, କଟକ ସବୁବେଳେ ଲୋକଙ୍କ ସହାୟତା କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସିଛି । ୧୯୯୯ ମସିହାରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାରେ ହୋଇଥିଲା ପ୍ରଳୟଙ୍କରୀ ବିନାଶ । ଏହି ସମୟରେ ୱାଇଏମସିଏ, କଟକ ଏବଂ କେତେକ ରିଲିଫ୍ ପ୍ରଦାନକାରୀ ସଂସ୍ଥା (ଜାତୀୟ ଓ ଅନ୍ତର୍ଜାତୀୟ) ମିଳିତ ଭାବେ ସାହାସିକତାର ସହ କାର୍ଯ୍ୟ କରିଥିଲେ ଏବଂ ବାତ୍ୟା ପ୍ରଭାବିତ କଟକ ଜିଲାର ଲୋକଙ୍କ ନିମନ୍ତେ ଆପାତକାଳୀନ ରିଲିଫ୍ ଯୋଗାଣ, ଦୀର୍ଘସ୍ଥାୟୀ ପୁର୍ନବାସ ଏବଂ ରୋଜଗାର ସୃଷ୍ଟି ଭଳି କାର୍ଯ୍ୟକ୍ରମ ହାତକୁ ନେଇଥିଲୋ ।
ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ ୱାଇଏମସିଏ, କଟକ ହେଉଛି ଏକ ସହାୟତା ସଂସ୍ଥା, ଯେଉଁଠି ସରକାରୀ ବିଦ୍ୟାଳୟର ୩୦ ଜଣ ଛାତ୍ରଛାତ୍ରୀ ୱାଇଏମସିଏ ଆର୍ଟ ଆଣ୍ଡ କ୍ରାଫ୍ଟ ସ୍କୁଲରେ ନାମାଙ୍କନ କରିଛନ୍ତି । ସେମାନଙ୍କୁ ୧ ବର୍ଷ ନିମନ୍ତେ ମାଗଣାରେ ଆର୍ଟ ଏବଂ କ୍ରାଫ୍ଟ ତାଲିମ ପ୍ରଦାନ କରାଯାଉଛି ।
ୱାଇଏମସିଏ, କଟକ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼, ସେଣ୍ଟ୍ରାଲ ରେଡ଼କ୍ରସ ବ୍ଲଡ ବ୍ୟାଙ୍କ (କ୍ଷେତ୍ରୀୟ ଏବଂ ଆନ୍ତର୍ଜାତୀୟ) ସ୍ତରରେ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ସମ୍ମାନିତ ହୋଇଛି ।