କରୋନାରେ ସାମିଲ ହେଲା କୋରାପୁଟ
କୋରାପୁଟର ସ୍ୱାସ୍ଥ୍ୟକର୍ମୀ ଓ ବାଲେଶ୍ୱରର କୋଲକତା ଫେରନ୍ତା ନୂଆ ଆକ୍ରାନ୍ତ
ଭୁବନେଶ୍ୱର: ରାଜ୍ୟରେ ଏବେ ପୁଣି ଆଉ ଦୁଇ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ କୋରାପୁଟର ୨୨ ବର୍ଷୀୟ ପୁରୁଷ ଏବଂ ସେ ଜଣେ ସ୍ୱାସ୍ଥ୍ୟ କର୍ମୀ । ସେ କାର୍ଯ୍ୟରେ ଯୋଗ ଦେବା ପାଇଁ କଲିକତାରୁ ଫେରିଥିଲେ । ତା ପରେ ସେ କ୍ୱାରେଣ୍ଟାଇନରେ ରହିଥିଲେ ଏବଂ ପରେ ପଜେଟିଭ୍ ଚିହ୍ନଟ ହୋଇଥିଲେ ବୋଲି ସୂଚନା ମିଳିଛି । ମାତ୍ର ସେ ଆଉ କାର୍ଯ୍ୟରେ ଯୋଗ ଦେଇନାହାନ୍ତି । ଏହି ନୂତନ ଆକ୍ରାନ୍ତଙ୍କ ଫଳରେ କରୋନା କବଳିତ ଜିଲ୍ଲା ତାଲିକାରେ କୋରାପୁଟ ଜିଲ୍ଲା ସାମିଲ ହୋଇଯାଇଛି ।
ଗତ ମାର୍ଚ୍ଚରୁ ରାଜ୍ୟରେ କରୋନା ଚିହ୍ନଟ୍ ହୋଇଥିଲେ ମଧ୍ୟ ରାଜ୍ୟର ୨୦ ଜିଲ୍ଳାରେ କରୋନା ସଂକ୍ରମଣ ଦେଖାଯାଇ ନଥିଲା । ଏହି ଜିଲ୍ଲା ମଧ୍ୟରେ କୋରାପୁଟ୍ ରହିଥିଲା । ପ୍ରଥମରୁ ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ ପ୍ରଭୃତି ଅଂଚଳ ରହିଥିବା ବେଳେ ଏହି ନୂତନ ଆକ୍ରାନ୍ତଙ୍କ ଫଳରେ କୋରାପୁଟ ଏଥିରେ ସାମିଲ ହୋଇଛି । ତେବେ କୋରାପୁଟରେ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ୬୧ ନମ୍ବର କରୋନା ଆକ୍ରାନ୍ତଙ୍କ ସଂପର୍କୀୟ ବୋଲି ସୂଚନା ମିଳିଛି ।
ଆଉ ଜଣେ ବାଲେଶ୍ୱରରେ ମଧ୍ୟ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ ୩୨ ବର୍ଷ ହୋଇଥିବା ବେଳେ ସେ ଜଣେ ପୁରୁଷ ଏବଂ ସେ ମଧ୍ୟ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେଁ ସୂଚନା ପ୍ରଦାନ କରାଯାଇଛି । ଆଜି ସକାଳେ ବାଲେଶ୍ୱରରୁ ୫ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ବେଳେ ଏବେ ଆଉ ଜଣେ କରୋନା ପଜେଟିଭ୍ ବାଲେଶ୍ୱରରୁ ଚିହ୍ନଟ ହୋଇଛନ୍ତି । ଏବେ ଆଉ ଜଣେ କରୋନା ପଜେଟିଭ ଚିହ୍ନଟ ପରେ ବାଲେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଂଚିଛି ।
ଏବେ ଏହି ଦୁଇ କରୋନା ରୋଗୀଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୧୧୦ରେ ପହଂଚିଛି ବର୍ତ୍ତମାନ ଏହି ଦୁଇ କରୋନା ରୋଗୀଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସାମ୍ନାକୁ ଆସିନଥିବା ବେଳେ ଏମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ତେବେ କିଛି ସମୟ ପୂର୍ବରୁ ଦୁଇ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ନେଇ ସୂଚନା ମିଳିଥିଲା ।