କରୋନା କବଳରେ ୩ ନୂଆ ଜିଲ୍ଲା
ଭୁବନେଶ୍ୱର: ତିନି ନୂଆ ଜିଲ୍ଲାରେ ତିନି ନୂଆ ପଜିଟିଭ୍ । କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡାରେ ଚିହ୍ନଟ ହୋଇଛନ୍ତି ତିନିଜଣ ନୂତନ କରୋନା ରୋଗୀ । ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦୁଝର ପଞ୍ଚପଲ୍ଲୀ ଅଂଚଳର ଜଣେ ୬୦ ବୟସ୍କ ବ୍ୟକ୍ତି ରହିଥିବା ବେଳେ ଦେବଗଡ ବାସୁଦେବପୁର ଅଂଚଳର ଜଣେ ୩୪ ବର୍ଷ ବୟସ୍କ ଯୁବକ ଓ ଝାରସୁଗୁଡା ବ୍ରଜରାଜନଗର ଅଂଚଳର ଜଣେ ୧୮ ବର୍ଷିୟ ଯୁବତୀ ରହିଛନ୍ତି । ଏହା ନୂତନ ତିନି ପଜିଟିଭଙ୍କ ଫଳରେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି ।
ଅନ୍ୟ ପକ୍ଷରେ ରାଜ୍ୟର ୧୪ଟି ଜିଲ୍ଳାକୁ୍ କରୋନା ସଂକ୍ରମଣ ବ୍ୟାପିଛି । ପୂର୍ବରୁ ରାଜ୍ୟର ୧୧ଟି ଜିଲ୍ଳା କରୋନା କବଳରେ ରହିଥିଲା । ଏବେ ଏହି ତିନି ନୂତନ ଜିଲ୍ଳାକୁ କରୋନା ବ୍ୟାପିବା ଫଳରେ ରାଜ୍ୟର ମାତ୍ର ୧୬ଟି ଜିଲ୍ଳା ବର୍ତ୍ତମାନ କରୋନା ମୁକ୍ତ ରହିଛି । ତେବେ ବ୍ୟାପକ ସଂଖ୍ୟାରେ ଶ୍ରମିକ ବିଭିନ୍ନ ଜିଲ୍ଳାକୁ ଫେରୁଥିବାରୁ ଏହି ସଂଖ୍ୟା ବଢ଼ିବା ସହ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।
ଝାରସୁଗୁଡା, କେନ୍ଦୁଝର ଓ ଦେବଗଡରେ ପ୍ରଥମଥର ପାଇଁ କରୋନା ରୋଗୀ ଚିହ୍ନଟ ହୋଇଥିବାରୁ ଏବେ ଜିଲ୍ଳା ପ୍ରଶାସନ ସହ ରାଜ୍ୟ ସରକାରଙ୍କର ଚିନ୍ତା ମଧ୍ୟ ବଢ଼ି ଯାଇଛି । ଏହି ରୋଗୀଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯିବା ସହ ସେମାନଙ୍କର ଲିଙ୍କ୍ ଉପରେ ମଧ୍ୟ ତଦନ୍ତ ଜାରି ରହିଛି । ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।