କରୋନା: ମେ’ ୪ରୁ ଆନ୍ତଃରାଜ୍ୟ ବିମାନସେବା

ନୂଆଦିଲ୍ଲୀ: ମେ’ ୪ରୁ ଆନ୍ତଃରାଜ୍ୟ ବିମାନସେବା ଆରମ୍ଭ କରିବାକୁ ଯୋଜନା ଆରମ୍ଭ କରିଛି ଏୟାର ଇଣ୍ଡିଆ । ସେହିପରି ଜୁନ ପହିଲାରୁ ଅନ୍ତଃରାଷ୍ଟ୍ରୀୟ ବିମାନସେବା ଯୋଗାଇ ଦେବାକୁ ଚିନ୍ତାକରି ତାର ବୁକିଂ ମଧ୍ୟ ଆରମ୍ଭ କରିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଲକ୍ ଡାଉନ ଜାରି ହେବାପରେ ମାଲ ପରିବହନ ବିମାନ ବ୍ୟତୀତ ଅନ୍ୟ ସମସ୍ତ ବିମାନ ଚଳାଚଳ ବନ୍ଦ ରହିଛି । ମେ’ ୩ ପର୍ଯ୍ୟନ୍ତ ଲକ୍ ଡାଉନ ମିଆଦ ବୃଦ୍ଧି କରାଯାଇଥିବାରୁ ୪ରୁ ଘରୋଇ ବିମାନ ଏବଂ ଜୁନ୍ ପହିଲାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ବୁକିଂ ପ୍ରକ୍ରିୟା ଆରମ୍ଭ ହେବ । ମୁମ୍ବାଇ, ଦିଲ୍ଲୀ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରୁ ଭଳି ମେଟ୍ରୋ ସହରଗୁଡ଼ିକୁ ପ୍ରଥମେ ବିମାନ ଚଳାଚଳ କରିବ । ପରେ ସ୍ଥିତି ଅନୁଧ୍ୟାନ କରି ଅନ୍ୟାନ୍ୟ ସହରକୁ ବିମାନ ଚଳାଚଳ ଉପରେ ପଦକ୍ଷେପ ଗ୍ରହଣ କରାଯିବ ।
ଉଲ୍ଲେଖଯୋଗ୍ୟ, ଏପ୍ରିଲ୍ ୧୪ରେ ପ୍ରଥମ ପର୍ଯ୍ୟାୟ ଲକ୍ ଡାଉନ ଅବଧି ସରୁଥିଲା ବେଳେ ପ୍ରଧାନମନ୍ତ୍ରୀ ତାହାକୁ ମେ’ ୩ତାରିଖ ପର୍ଯ୍ୟନ୍ତ ବଢ଼ାଇଦେବାରୁ ସେ ପର୍ଯ୍ୟନ୍ତ ସମସ୍ତ ବିମାନ ଚଳାଚଳ ବନ୍ଦ ରହିବ । ଲକ୍ ଡାଉନ ସତ୍ତ୍ୱେ ଅନେକ ଘରୋଇ ବିମାନ କମ୍ପାନୀ ଏପ୍ରିଲ୍ ୧୪ ପରେ ଯାତ୍ରା ପାଇଁ ବୁକିଂ ଆରମ୍ଭ କରିଥିଲେ । ମାତ୍ର ଏପ୍ରିଲ୍ ଶେଷ ପର୍ଯ୍ୟନ୍ତ କୌଣସି ବୁକିଂ ନ କରିବାକୁ ଏୟାର୍ ଇଣ୍ଡିଆ ନିଷ୍ପତ୍ତି ନେଇଥିଲା । ଏୟାର୍ ଇଣ୍ଡିଆ ପୂର୍ବରୁ ଇଣ୍ଡିଗୋ ମଧ୍ୟ ମେ’ ୪ରୁ ପର୍ଯ୍ୟାୟକ୍ରମେ ଉଡ଼ାଣ ଆରମ୍ଭ କରିବ ବୋଲି ଘୋଷଣା କରିଥିଲା ।

Spread the love

Leave a Reply

Your email address will not be published. Required fields are marked *