ଗମ୍ଭୀର ହେଉଛି ସ୍ଥିତି, ଗୋଟିଏ ଦିନରେ ୧୮ ପଜିଟିଭ

ଭୁବନେଶ୍ୱର: କଡା ପଦକ୍ଷେପ, ଆଗୁଆ ସତର୍କତା ସତ୍ତ୍ୱେ ମଧ୍ୟ ରାଜ୍ୟର ସ୍ଥିତି ଧିରେ ଧିରେ ଗମ୍ଭୀର ହେବାକୁ ଯାଉଛି । ଗୋଟିଏ ଦିନରେ ୧୮ଟି କରୋନା ପଜିଟିଭ ବାହାରିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ନୂତନ ୧୮ ପଜିଟିଭ ବାହାରିବା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି । କେବଳ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହୋଇଛି ।
ଏପରି ସ୍ଥିତିକୁ ନେଇ ରାଜ୍ୟସରକାର ଧିରେ ଧିରେ କଠୋର ହୋଇଛନ୍ତି । ଲକ୍ ଡାଉନ୍ ଉଲଂଘନକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ରାଜଧାନୀର ବମିଖାଲ ଅଞ୍ଚଳରୁ ୧୮ଜଣ ଆକ୍ରାନ୍ତ ବାହାରିବା ଅଞ୍ଚଳବାସୀଙ୍କୁ ମଧ୍ୟ ଆତଙ୍କିତ କରିଦେଇଛି । ପ୍ରଶାସନ ପକ୍ଷରୁ ସଂପୂର୍ଣ୍ଣ ଅଂଚଳକୁ ସିଲ କରାଯାଇ ଘର ଘର ବୁଲି ସ୍ୱାସ୍ଥ୍ୟ କର୍ମୀ ମାନେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରୁଛନ୍ତି ।
ରବିବାର ପୂର୍ବାହ୍ନରେ ଦୁଇଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେହିପରି ସଂଧ୍ୟାରେ ଏକ ସଙ୍ଗରେ ୧୬ଟି ନମୁନା ପଜିଟିଭ ଆସିଥିଲା । ସେଥିମଧ୍ୟରୁ କେବଳ ୧୫ଟି ବମିଖାଲ ଅଂଚଳର ହୋଇଥିବା ବେଳେ ଗୋଟିଏ ସୂର୍ଯ୍ୟନଗର ଅଂଚଳର ରହିଥିଲା । ସୂର୍ଯ୍ୟ ନଗର ଅଂଚଳରେ ବାହାରିଥିବା ପଜିଟିଭ ବ୍ୟକ୍ତିଜଣକ ପ୍ରଦୀପ୍ତ ଦଳ ବେହେରାଙ୍କ ଘରେ କାର୍ଯ୍ୟ କରୁଥିବା ଜଣାଯାଇଛି । ଏପରିସ୍ଥିତିରେ ଧର୍ଯ୍ୟହରା ନହୋଇ କାର୍ଯ୍ୟ କରିବାକୁ ରାଜ୍ୟସରକାର ପରାମର୍ଶ ଦେଇଛନ୍ତି ।
ସେହିପରି କେବଳ ନିତାନ୍ତ ଆବଶ୍ୟକ ଦ୍ରବ୍ୟ ଆଣିବା ପାଇଁ ବଜାରକୁ ଯିବା ସହ ଚାଲି ଚାଲି ଯିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ପାସ ନଥାଇ ଗାଡି ଧରି ବାହାରକୁ ବାହାରିଲେ ଗାଡିକୁ ସିଜ୍ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *