ଗୋଟିଏ ଦିନରେ ୧୫ ପଜିଟିଭ୍, ୫ ଜିଲ୍ଲାକୁ ଡେଇଁଲା କରୋନା
ଭୁବନେଶ୍ୱର: ରାଜ୍ୟରେ ଆଜି ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି । ସୂର୍ଯ୍ୟନଗରର ୫ମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ୭ ସଂକ୍ରମିତ, ୫ମ ଆକ୍ରାନ୍ତଙ୍କ ସ୍ତ୍ରୀ, ଝିଅ ଏବଂ ଭଡାରେ ରହୁଥିବା ଲୋକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବମିଖାଲ-୩, କଟକ-୧, ପୁରୀ- ୧, ଯାଜପୁର-୧ ଓ ଭଦ୍ରକ-୨ରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହି ୧୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ୫ଟି ଜିଲ୍ଲାକୁ କରୋନା ବ୍ୟାପିଥିବା ସ୍ପଷ୍ଟ ହୋଇଯାଇଛି ।
ସୂର୍ଯ୍ୟନଗର ପରେ ପରେ ଭୁବନେଶ୍ୱର ବମିଖାଲ ଅଞ୍ଚଳକୁ ବିଏମସି ସିଲ କରିଛି । ଏକ୍ରାମ ହଲରୁ ଝାରପଡ଼ା କେନାଲ ରୋଡ୍, ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗାମଣ୍ଡପ ଏବଂ ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ-ପୁରୀ ରୋଡ୍ ଡିବିସି ବ୍ୟାଙ୍କ ସ୍କୋୟାର ସିଲ୍ କରିଛି ।
ସେହିପରି ପୁରୀ କୁମ୍ଭାରପଡାରେ ଜଣେ ବ୍ୟକ୍ତି ନିଜାମୁଦ୍ଦିନ୍ ରୁ ଫେରି କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେ ୨୭ ତାରିଖରେ ଦିଲ୍ଲୀରୁ ଫେରିଥିଲେ। କରୋନାର କରାଳ ରୂପକୁ ଦେଖି ଭୁବନେଶ୍ୱର, କଟକ ଓ ଭଦ୍ରକ ସହରରେ ୪୮ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି ।