ଗୋଟିଏ ଦିନରେ ୯ ପଜିଟିଭ, ୧୦୩ ଛୁଇଁଲା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର: ରାଜ୍ୟରେ ଏବେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ ୯ଜଣ ପଜିଟିଭ ଚିହ୍ନଟ ହେବା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ଯାଜପୁର ଜିଲ୍ଲାରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାର ଚିହ୍ନଟ ବ୍ୟକ୍ତି ମାନେ ଦଶରଥପୁର ବ୍ଲକର କଟିକଟା ଓ ମଲ୍ଲିକାପୁର ଅଂଚଳର ଏବଂ ସେମାନେ ସମସ୍ତେ କୋଲକତାରୁ ଫେରିଥିବା ଜଣାପଡିଛି । ଏମାନେ ସମସ୍ତେ ପୁରୁଷ ହୋଇଥିବା ବେଳେ ସେମାନଙ୍କ ବୟସ ୫୭ବର୍ଷ, ୫୨ ବର୍ଷ, ୫୦ ବର୍ଷ, ୪୯ ବର୍ଷ, ୩୯ ବର୍ଷ ଏବଂ ୨୩ ବର୍ଷ । ଏହି ସମସ୍ତ ଆକ୍ରାନ୍ତ ମାନଙ୍କୁ କୋଭିଡ୍ ହସ୍ପିଟାଲରେ ରଖି ଚିକିତ୍ସିତ କରାଯାଉଛି । ଏହି ଆକ୍ରାନ୍ତଙ୍କ ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି । ନୂତନଭାବେ ଚିହ୍ନଟ ହୋଇଥିବା ରୋଗୀ ମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ।
ସେହିପରି ସୁନ୍ଦରଗଡ ଜିଲ୍ଳାରୁ ଜଣେ ମହିଳାଙ୍କ ସମେତ ତିନିଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତ ଚିହ୍ନଟ ବ୍ୟକ୍ତି ପୂର୍ବ କରୋନା ରୋଗୀଙ୍କ ନିକଟ ସଂମ୍ପର୍କିୟ ବୋଲି ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ମହିଳାଙ୍କ ବୟସ ୫୭ ହୋଇଥିବା ବେଳେ ଅନ୍ୟ ଦୁଇ ଆକ୍ରାନ୍ତଙ୍କ ବୟସ ୬୦ ବର୍ଷ ଓ ୨୩ ବର୍ଷ । ଏମାନେ ସମସ୍ତେ ରାଉରକେଲା ନିବାସୀ ବୋଲି ସୂଚନା ଦିଆଯାଇଛି ।
ସୂଚନା ଯୋଗ୍ୟଯେ ପୂର୍ବରୁ ରାଉରକେଲାର ୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ମଧ୍ୟ ଏହି ତିନିଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିଲେ । ପରେ ଏହି ଜିଲ୍ଳାକୁ କରୋନା ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇଥିଲା । ମାତ୍ର ପୁଣି ଏହି ତିନିଜଣ ଚିହ୍ନଟ ହେବା ପରେ ପୁଣି ସୁନ୍ଦରଗଡ଼ ଜିଲ୍ଲା କରୋନା ତାଲିକାରେ ସାମିଲ ହୋଇଯାଇଛି ।
ବର୍ତ୍ତମାନ ରାଜ୍ୟରେ ୧୦୩ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୮ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।