ତାମିଲ ଖଣି ମାଫିଆଙ୍କ ହାତରେ ଓଡିଶା ରାଜକୋଷ: ଧର୍ମେନ୍ଦ୍ର
ଭୁବନେଶ୍ୱର, ଅପ୍ରେଲ ୧୫: ନବୀନ ବାବୁ ତାମିଲ ଖଣି ମାଫିଆକୁ ଓଡିଶାର ରାଜକୋଷ ଟେକିଦେଇଥିବା ବେଳେ ଓଡିଆ ଯୁବକ ତାମିଲନାଡୁ ଖଟିବାକୁ ଯାଉଛି ବୋଲି ବରଗଡ ଜିଲ୍ଲାର ଭଟଲି, ପଦ୍ମପୁର, ବିଜେପୁର ଓ ଅତାବିରା ଏବଂ ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗରରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟରେ ମୋଦିଙ୍କ ଡବଲ ଇଞ୍ଜିନ ସରକାର ହେଲେ ବିକାଶର କାମ ତ୍ୱରାନ୍ୱିତ ହେବ । ମୋଦି ଇଞ୍ଜିନ ଲାଗିଲେ ଓଡିଶା ୧ ନମ୍ବର ରାଜ୍ୟ ହେବ ବୋଲି ସେ କହିଛନ୍ତି ।
ଓଡିଶା ରାଜକୋଷର ଚାବିକାଠି ନବୀନ ବାବୁ ଖଣି ମାଫିଆ ପ୍ରଭାକରନକୁ ଦେଇଛନ୍ତି । ଚିଟଫଣ୍ଡ ଚାବିକାଠି ସରୋଜ ସାହୁ ପାଖରେ ଅଛି । ଅପରପକ୍ଷରେ ନବୀନ ବାବୁ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ହଜାଇ ଦେଇଛନ୍ତି, ଏଥିରେ ସେ ଦିଲ୍ଲୀର ଚାବିକାଠି ରଖିବାକୁ ବାହାରିଛନ୍ତି । ସେହିପରି ନବୀନ ବାବୁ ଓଡିଆ ଲୋକଙ୍କ ହିତ ଚାହୁଁନାହାନ୍ତି । ରାଜ୍ୟରେ ସବୁଦିନ ଦାରିଦ୍ରତା ରହୁ, ଗରିବ ରହୁ, ଓଡିଆ ପିଲା ନିଜ ଗୋଡରେ ଠିଆ ନହେଉ, ସ୍ୱାଭିମାନ ନହେଉ ନବୀନ ବାବୁ ଚାହୁଁଛନ୍ତି । କେବଳ ଭୋଟ ପାଇବାକୁ ନବୀନ ବାବୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡିଆ ବୁଝୁନଥିବା ନବୀନ ବାବୁ ଓଡିଶାକୁ କଣ ଚଲେଇବେ ବୋଲି ସେ ପ୍ରଶ୍ନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ସରକାରକୁ ଆସିଲେ ବରଗଡରେ କ୍ୟାନସର ହସ୍ପିଟାଲ ତିଆରି କରାଯିବା ସହ ଜିଲ୍ଲାରେ ମେଡିକାଲ କଲେଜ୍ ପ୍ରତିଷ୍ଠା କରାଯିବ, କୃଷିର ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଜେପୁର ଓ ପଦମପୁରର ଚାଷଜମିରେ ସମ୍ପୂର୍ଣ୍ଣ ଜଳସେଚନର ବ୍ୟବସ୍ଥା କରାଯିବ, ଚାଷୀ ଓ ଗରିବଙ୍କ କଲ୍ୟାଣ ପାଇଁ ଚିନ୍ତା କରାଯିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାର ବିକାଶ ପାଇଁ ଦିଲ୍ଲୀର ମୋଦିଙ୍କ ସରକାର ଅନେକ ଆର୍ଥିକ ସହାୟତା ଓ ସହଯୋଗ କରୁଥିବା ବେଳେ ସେହି ପଇସା ଭୁବନେଶ୍ୱରରେ ଅଟକି ଯାଉଛି । ଫଳରେ ଝାରସୁଗୁଡା ଏବଂ ବ୍ରଜରାଜନଗରରେ ମୋଦି ଦେଉଥିବା ପଇସା ପହଁଚିପାରୁନାହିଁ । ଏହି ପଇସା ଲୁଟ ହେଉଛି ଏବଂ ଏହାର ରୋକ ଲାଗିବ ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଓଡିଶାକୁ ଦିଆଯାଇଛି, ୫୦ ଲକ୍ଷ ଶୌଚାଳୟ ବନିଛି । ମାତ୍ର ଏହି ବ୍ଲକରେ ପିସି ନଦେଲେ କାମ ହେଉନାହିଁ । ଘର ଓ ଶୌଚାଳୟ ନିର୍ମାଣ କରିବା ପାଇଁ ଲାଂଚ ଦେବାକୁ ପଡୁଛି ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ବଜାରରେ ଚାଉଳର ମୂଲ୍ୟ ୩୨ ଟଙ୍କାରୁ ମୋଦି ଦିଲ୍ଲୀରୁ ୨୯ ଟଙ୍କା ଦେଉଛନ୍ତି । ନବୀନ ବାବୁ ୨ ଟଙ୍କା ଦେଉଥିବା ବେଳେ ହିତାଧିକାରୀମାନେ ୧ ଟଙ୍କା ଦେଉଛନ୍ତି । ମୋଦି ପଇସାରେ ଗରିବ ଲୋକଙ୍କୁ ଟଙ୍କିକିଆ ଚାଉଳ ଦେବା କଥା ନବୀନ ବାବୁ କହୁଛନ୍ତି । ନବୀନ ବାବୁ ପରଘର ତିଅଣରେ ଅତିଥି ସତ୍କାର କରିବାରେ ଚାଲାକ । ଓଡିଶାରେ ୨୫ଟି ଜିଲ୍ଲାରେ ଶିଶୁ ମାନଙ୍କ ଅପପୃଷ୍ଟି ଓ କୁପୋଷଣ ସ୍ଥିତି ଗମ୍ଭୀର ଥିବା ବେଳେ ସେମାନଙ୍କୁ ସୁପୋଷଣ କରିବାକୁ ପଡିବ ।
ବିଜେପି ସରକାର ହେଲେ ଓଡିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧକେଜି ଲେଖାଁଏ ଡାଲି ଓ ଲୁଣ ଦେଇ ସୁପୋଷଣର ଦାୟିତ୍ୱ ବିଜେପି ନେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମଧ୍ୟ ଓଡିଶାର ଏହିସବୁ ଅଂଚଳରେ ପିଇବା ପାଣି ନାହିଁ, ଡାକ୍ତରଖାନାରେ ଡାକ୍ତର ନାହାଁନ୍ତି, ଓଡିଶାର ଅଧା କୋଇଲାରେ ସାରା ଭାରତ ଜଳୁଥିବା ବେଳେ ଏଠାରେ ୨୪ ଘଂଟା ବିଜୁଳି ନାହିଁ, ରୋଜଗାରର ଉପଲବ୍ଧ ନାହିଁ । ମୁଖ୍ୟମନ୍ତ୍ରୀ ବିଜେପୁର ଉପନିର୍ବାଚନରେ ନେଇଥିବା ଦାୟିତ୍ୱକୁ ପୂରଣ କରିନାହାନ୍ତି । ୧୯ ବର୍ଷର ଶାସନ ମଧ୍ୟରେ ପଦ୍ମପୁର କାହିଁକି ପଛୁଆ ଅଛି, ନବୀନ ବାବୁଙ୍କୁ ଏହାର ଜବାବ୍ ଦେବାକୁ ପଡିବ ।
ସେହିପରି ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର କୁଆଡେ ଯାଇଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରୁଛନ୍ତି । ବରଗଡ ଜିଲ୍ଲାରେ ଟେକ୍ସଟାଇଲ ପ୍ରକଳ୍ପ କାମର ଶୁଭାରମ୍ଭ ପାଇଁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଏଠାକୁ ଆସିଥିଲେ । ମାତ୍ର ନବୀନ ବାବୁ ବରଗଡ ବିଧାୟକଙ୍କ ସହ ମିଶି ତାଙ୍କୁ ଟେକା ପଥର ମାଡ କଲେ । ଓଡିଶାକୁ କେନ୍ଦ୍ରମନ୍ତ୍ରୀ ଆସିଲେ ନବୀନ ବାବୁ ତାଙ୍କୁ ଫୁଲ ମାଳ ଦେବା ବଦଳରେ ପଥର ମାଡ କରୁଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କ ବିକାଶ କଣ ନେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କେଉଁ ଯୋଜନା କରିବେ ତାହା କହୁନଥିବା ବେଳେ ମୋଦିଙ୍କୁ କେବଳ ପାଣି ପିଇପିଇ ଗାଳି କରୁଛନ୍ତି । ମୋଦି ତାଙ୍କ ୫ ବର୍ଷର ଦାୟିତ୍ୱରେ ଓଡିଶାର ୨୪ ଲକ୍ଷ ଗରିବଙ୍କ ଘରେ ସୌଭାଗ୍ୟ ଯୋଜନାରେ ବିଜୁଳି ଦେବାର ବ୍ୟବସ୍ଥା କଲେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୦ ଲକ୍ଷ ଘର ଦେଲେ, ୫୦ ଲକ୍ଷ ଶୌଚାଳୟ ନିର୍ମାଣ କରିବା ସହ ୪୦ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇଲେ ।