ଦୃଶ୍ୟମାନ ହେଲା ‘ଆମ୍ଫାନ’ର ଆଖି

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆମ୍ଫାନ୍ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇଛି । ପାଣିପାଗ ବିଭାଗର ସାଟେଲାଇଟରେ ଏହାର ଆଇ ବା ଆଖି ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଛି । ପାଣିପାଗ ବିଭାଗ ଅନୁସାରେ ବାତ୍ୟା ଆମ୍ଫାନ ଆହୁରି ଘନୀଭୂତ ହୋଇ ଏକ୍ସଟ୍ରିମ୍ଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମ ବା ଅତି ଭୀଷଣ ରୂପ ଧାରଣ କରିବ । ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ଘଣ୍ଟାପ୍ରତି ୧୬୦ରୁ ୧୭୦ କିଲୋମିଟର ଥିବ ଓ ମଝିରେ ମଝିରେ ୧୮୫ କିଲୋମିଟର ବେଗରେ ଝଟକା ଦେବ ବୋଲି ଅନୁମାନ କରାଯାଇଛି । ପ୍ରାୟ ୩୬ ଘଣ୍ଟା ଧରି ବାତ୍ୟା ଏଭଳି ରୂପରେ ସମୁଦ୍ରକୁ ଗୁରାଣ୍ଡିବା ବେଳେ ଉପକୂଳ ଓଡ଼ିଶାରେ ଏକ ବଡ଼ ପ୍ରଭାବ ରଖି ଫେରିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।

ପାଣିପାଗ ବିଭାଗର ସୂଚନା ଅନୁସାରେ ବାତ୍ୟାର ପ୍ରଭାବ ଆଜି ସନ୍ଧ୍ୟାରୁ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିବ। ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବ ଓ ମଝିରେ ମଝିରେ ୬୫ କିଲୋମିଟର ପର୍ଯ୍ୟନ୍ତ ଯିବାର ସମ୍ଭାବନା ମଧ୍ୟ ରହିଛି । ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ । ୨୦ ତାରିଖ ସକାଳ ପରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ମୟୂରଭଂଜ ଜିଲ୍ଲାରେ ପବନର ବେଗ ୭୫ରୁ ୮୫ କିଲୋମିଟର ରହିବ ଓ ସ୍ଥଳ ବିଶେଷରେ ୯୫ କିଲୋମିଟର ବେଗରେ ପବନ ବହିବ । ଧୀରେ ଧୀରେ ଏହା ବଢି ଘଣ୍ଟାପ୍ରତି ୧୧୦ରୁ ୧୨୦ କିଲୋମିଟର ବେଗରେ ପବନ ବହିବ । ମଝିରେ ମଝିରେ ୧୩୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଜିଲ୍ଲାରେ ପବନର ବେଗ ୫୫ରୁ ୬୫ କିଲୋମିଟର ରହିବ । ଅତି ବେଶୀରେ ଏହାର ବେଗ ଘଣ୍ଟା ପ୍ରତି ୭୫ କିଲୋମିଟର ରହିବ ବୋଲି କୁହାଯାଇଛି ।

ପାଣିପାଗ ବିଭାଗ ସୂଚାଇଛି ଯେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଓ ମୟୂରଭଂଜରେ କଚ୍ଚା ଘର ଓ କିଛି ପକ୍କା ଘର ପ୍ରତି ବାତ୍ୟା ବିପଦ ଆଣିପାରେ । ଆଜବେଷ୍ଟସ୍ ଉଡ଼ାଇ ଦେବା ଅସମ୍ଭବ ନୁହେଁ। ଟେଲିଫୋନ୍ ଟାୱାର, ବିଦ୍ୟୁତ ଖୁଣ୍ଟ ଉପୁଡ଼ିପାରେ । ରେଳସେବା ବ୍ୟାହତ ଆଶଙ୍କାକୁ ଏଡ଼ାଇ ଦେଇ ହେବନାହିଁ । ପଶ୍ଚିମବଙ୍ଗ ଉପକୂଳରେ ୧୨ଫୁଟରୁ ଅଧିକ ଉଚ୍ଚର ଜୁଆର ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ବାଂଲାଦେଶ-ଦୀଘା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ, ଯେତେବେଳେ ପବନର ବେଗ ଥିବ ଘଣ୍ଟାପ୍ରତି ୧୩୫ କିଲୋମିଟର। ଆଜି ତାରିଖ ମଧ୍ୟାହ୍ନରେ ବାତ୍ୟା ଅତି ଭୀଷଣ ରୂପ ଧାରଣ କରିବ ଓ ୧୯ ତାରିଖ ସନ୍ଧ୍ୟା ବେଳକୁ ବିଶାଖପାଟଣା ଦୂରରେ ଥିବା ବେଳେ ପବନର ବେଗ ୨୦୦ କିମି ଉପରେ ରହିଥିବ । ୧୮ ତାରିଖ ସନ୍ଧ୍ୟା ପରେ ଏହା ଅଧିକ ପୂର୍ବ ଆଡ଼କୁ ଢଳି ଗତି କରିବ ।

୧୯ ତାରିଖ ବିଶାଖାପାଟଣାରୁ ୨୦ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବା ଭିତରେ ସମୁଦାୟ ଅଞ୍ଚଳକୁ ଆମ୍ଫାନ୍ ୨୪ ଘଣ୍ଟାରେ ଅତିକ୍ରମ କରିବ । ଓଡ଼ିଶା ଦେଇ ସେ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଯିବ । ପାରାଦୀପ ଠାରୁ ୧୨୦ କିଲୋମିଟର ଏବଂ ଚାନ୍ଦିପୁରଠାରୁ ୧୦୦ କିଲୋମିଟର ଦୂର ସମୁଦ୍ରରେ ବାତ୍ୟା ଗତିକରିବ । ୧୯ ତାରିଖରେ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ାରେ ମଧ୍ୟମରୁ ଭାରି ବର୍ଷା ହେବ । ସ୍ଥାନେ ସ୍ଥାନେ ଅତି ପ୍ରବଳ ବର୍ଷା ହେବ । ତେବେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ପାରାଦୀପ ପାଖରେ ପବନର ବେଗ ୮୦ କିଲୋମିଟର, ସ୍ଥଳବିଶେଷରେ ୯୦ କିଲୋମିଟର ବେଗରେ ଝଟ୍କା ଦେବ। ଚାନ୍ଦବାଲିରେ ପବନର ବେଗ ୭୦ କିଲୋମିଟର ରହିବ ।

ଉଲ୍ଲେଖଯୋଗ୍ୟ, ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁସାରେ, ବାତ୍ୟା ଅସ୍ତରଙ୍ଗଠାରୁ ୧୨୩ କିଲୋମିଟର ଦୂର ସମୁଦ୍ରରେ ଗତି କରିବ । ସେହିପରି ଧାମରାଠାରୁ ୭୦, ଚାନ୍ଦିପୁରଠାରୁ ୮୭ କିଲୋମିଟର ଦୂରରେ ଆଗକୁ ବଢିବ । ଏହା ଦୀଘା ଠାରୁ ୪୮ କିଲୋମିଟର ଦୂରରେ ସ୍ଥଳଭାଗକୁ ସ୍ପର୍ଶ କରିପାରେ ବୋଲି କୁହାଯାଉଛି ।

Spread the love

Leave a Reply

Your email address will not be published. Required fields are marked *