ପାନୀୟଜଳ ଯୋଗାଣର ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା
ଭୁବନେଶ୍ୱର, ୧୫/୪: ଗ୍ରୀଷ୍ମ ପ୍ରଦାହକୁ ଦୃଷ୍ଟିରେ ରଖି ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକେ ଯେଭଳି ସୁରୁଖୁରୁରେ ପାନୀୟଜଳ ପାଇବେ ସେଥିପାଇଁ ଆଜି ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୁଇଟି ଟୋଲ ଫ୍ରି ନମ୍ବର ଜାରି ହୋଇଛି । ସହରାଞ୍ଚଳ ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୩୪୫୬୭୮୩ ଥିବାବେଳେ ଗ୍ରାମାଞ୍ଚଳ ପାଇଁ ୧୯୧୬ ରହିଛି । ଜଳଯୋଗାଣ ନେଇ କୌଣସି ଆବଶ୍ୟକତା ପଡିଲେ ଏହି ନମ୍ବରରେ ଲୋକେ ଫୋନ୍ କରିପାରିବେ । ଏଥି ସହିତ ଜଳ ଯୋଗାଣ ପାଇଁ ଆଜି ଠାରୁ କଣ୍ଟ୍ରୋଲରୁମ୍ ଖୋଲିଥିବାବେଳେ ପାନୀୟଜଳ ଯୋଗାଣରେ ଯେଭଳି କୌଣସି ସମସ୍ୟା ଦେଖାନଦିଏ ସେଥିପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ମନ୍ତ୍ରୀ ପ୍ରତାପ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ପାନୀୟଜଳ ଯୋଗାଣ ସଂକ୍ରାନ୍ତରେ ଆଜି ମନ୍ତ୍ରୀ ଶ୍ରୀ ଜେନା ସମୀକ୍ଷା କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ଡି.କେ.ସିଂହଙ୍କ ସମେତ ବରିଷ୍ଠ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି ଯେ ଗ୍ରୀଷ୍ମଋତୁରେ ଯେଭଳି ନିରବଚ୍ଛିନ୍ନ ଜଳ ଯୋଗାଣ ଜାରି ରହିବ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଏପ୍ରିଲ୍ ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ନଳକୂପ ଗୁଡିକର ମରାମତି ସାରିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ୨୪ ଘଣ୍ଟା ଭିତରେ ଏଥିପାଇଁ ଆବଶ୍ୟକ ଆନୁଷଙ୍ଗିକ ଉପକରଣ ପ୍ରସ୍ତୁତ ଲାଗି କହିଛନ୍ତି ।
ସେହିଭଳି ପମ୍ପହାଉସ ଗୁଡିକରେ ଜେନେରେଟର ପ୍ରସ୍ତୁତ କରି ରଖିବା ସହିତ କୌଣସି ଠାରେ ପାଣି ପାଇପରେଯ ଲିକ୍ ଦେଖାଦେଲେ ତାହାକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି ପାଇଁ କୁହାଯାଇଛି । ସହରାଞ୍ଚଳରେ ଯୋଗାଯାଉଥିବା ଜଳକୁ ଠିକଣାଭାବେ ବିଶୋଧନ ସହିତ ଆବଶ୍ୟକ ସ୍ଥଳେ ଜଳଯୋଗାଣ ଲାଗି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ କହିଛନ୍ତି । ସେହିଭଳି ପୌରସଂସ୍ଥା ଗୁଡିକ ବିଭିନ୍ନ ସ୍ଥାନରେ ଖୋଲିଥିବା ଜଳଛତ୍ରକୁ ପାଣି ଯୋଗାଣ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲ, କଲେଜ, ଡାକ୍ତରଖାନା ଆଦି ପରିସରରେ ଥିବା ନଳକୂପ ଗୁଡିକୁ ଆବଶ୍ୟକ ସ୍ଥଳେ ମରାମତି କରିବା ସହିତ ଏଠାକୁ ଜଳଯୋଗାଣରେ ଯେଭଳି କୌଣସି ବାଧା ନଉପୁଜେ ତାହା ଉପରେ ଦୃଷ୍ଟି ଦେବାକୁ କୁହାଯାଇଛି ।
ପୌରାଞ୍ଚଳରେ ପୌର ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଜଳଯୋଗାଣ ବ୍ୟବସ୍ଥାକୁ ସୁଗମ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ଠାରେ ଜଳ ଯୋଗାଣରେ ସମସ୍ୟା ଦେଖାଦେଲେ ତୁରନ୍ତ ବିଭାଗୀୟ ଯନ୍ତ୍ରୀ ଓ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳଙ୍କ ନଜରକୁ ଆଣିବାକୁ କୁହାଯାଇଛି । କୌଣସି ଠାରେ ନୂତନ ନଳକୂପ କିମ୍ବା ଅନ୍ୟ ଜଳଉତ୍ସର ଆବଶ୍ୟକ ସେ ସଂକ୍ରାନ୍ତରେ ଜିଲ୍ଲାପାଳମାନେ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ଦେଲେ ତୁରନ୍ତ ସେ ଦିଗରେ ପଦକ୍ଷେପ ନେବାପାଇଁ କୁହାଯାଇଛି ।
ସେହିଭଳି ସରକାରଙ୍କ ଜଳ ଯୋଗାଣ ବ୍ୟବସ୍ଥା ସଂକ୍ରାନ୍ତରେ ଲୋକେ ଯେଭଳି ଅବଗତ ହେବେ ସେଥିପାଇଁ ଗଣମାଧ୍ୟମ ସହ ସମ୍ପର୍କ ପାଇଁ ମନ୍ତ୍ରୀ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ଦୁଇ ବିଭାଗ ପକ୍ଷରୁ ଆଜି ମନ୍ତ୍ରୀଙ୍କ ପରାମର୍ଶକ୍ରମେ ଜିଲ୍ଲାସ୍ତରରେ ସମ୍ପୃକ୍ତ ବିଭାଗୀୟ ପଦାଧିକାରୀମାନଙ୍କୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପଠାଯାଇଛି ।