ପିଛା ଛାଡୁନି କରୋନା, ପୁଣି ୫ ଯାଜପୁରରୁ
ଭୁବନେଶ୍ୱର: ଯାଜପୁରର ପିଛା ଚାଡୁନି କିଲର କରୋନା । ଯାଜପୁରରୁ ପୁଣି ୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ପୁରୁଷ ରହିଛନ୍ତି । ମହିଳାଙ୍କ ବୟସ ୬୦ ବର୍ଷ ଓ ୨୪ ବର୍ଷ ହୋଇଥିବା ବେଳେ ପୁରୁଷଙ୍କ ବୟସ ୬୩ବର୍ଷ, ୫୬ ବର୍ଷ ଓ ୨୮ ବର୍ଷ ବୋଲି ଜଣାପଡିଛି । ଦୁଇ ମହିଳା କୋଲକତା ଫେରନ୍ତାଙ୍କ ସଂପର୍କୀୟ ହୋଇଥିବା ବେଳେ ପୁରୁଷ ମାନେ କୋଲକତା ଫେରନ୍ତା ବୋଲି କୁହାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁର ବ୍ଲକର ୩ଜଣ, ବରୀବ୍ଲକର ଜଣେ ଓ ବିଞ୍ଝାରପୁର ବ୍ଲକର ଜଣେ ବୋଲି ମଧ୍ୟ ସୂଚନା ଦିଆଯାଇଛି ।
ଏହି ଆକ୍ରାନ୍ତଙ୍କ ଫଳରେ ରାଜ୍ୟର କରୋନା ରୋଗୀଙ୍କ ସଂଖ୍ୟା ୧୫୪ରେ ପହଞ୍ଚିଛି ଏବଂ କେବଳ ତନ୍ମଧ୍ୟରୁ ୪୫ଜଣ ଯାଜପୁର ଜିଲ୍ଲାର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୪ଜଣ ଚିକିତ୍ସିତ ଥିବା ବେଳେ ମାତ୍ର ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ୯୮ଜଣ ଚିକିତ୍ସିତ ହେଉଥିବା ବେଳେ ୫୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଖୋର୍ଦ୍ଧା ଜିଲ୍ଳାରେ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁର ଜିଲ୍ଲାରେ ୪୫ଜଣ ଚିହ୍ନଟ ହୋଇଛନ୍ତି । ଫଳରେ ଯାଜପୁର ଏବେ ଦ୍ୱିତୀୟ ସ୍ଥାନରେ ରହିଛି । ସମଗ୍ର ରାଜ୍ୟ ପ୍ରଶାସନର ଫୋକସରେ ଏବେ ଯାଜପୁର ଜିଲ୍ଲା ରହିଛି ।