କରୋନା: ପୁଣି ଯାଜପୁରରୁ ଜଣେ ଓ ଭୁବନେଶ୍ୱରରୁ ୪

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଆଜି ଗୋଟିଏ ଦିନରେ ପୁଣି ୫ଜଣ ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ଜଣେ ହୋଇଥିବା ବେଳେ ଭୁବନେଶ୍ୱରରୁ ୪ଜଣ ରହିଛନ୍ତି । ତେବେ ଏହି ପଜିଟିଭ ବାହାରିବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚଛି ।
ଯାଜପୁରର ଆକ୍ରାନ୍ତ ଜଣକ କୋଲକାତାର ବହୁବଜାରରୁ ଆସିଥିଲେ । କୋଲକତାରୁ ଏକ ଟାଟା ମ୍ୟାଜିକ ଗାଡିରେ ୧୭ଜଣ ବ୍ୟକ୍ତିଙ୍କ ସହ ସେ ଓଡ଼ିଶା ଆସିଥିବା ବେଳେ ଷଠିପୁରଠାରେ ଓହ୍ଲାଇଥିଲେ । ସେଠାରୁ ସେ ଏକ ମାଛଗାଡିରେ ଗଣେଶ୍ୱରପୁର ପର୍ଯ୍ୟନ୍ତ ଯାଇଥିଲେ । ମାର୍ଚ୍ଚ ୨୯ ତାରିଖ ଦିନ ସେ ଚାଲି ଚାଲି ସେଠାରୁ ଯାଜପୁର ପର୍ଯ୍ୟନ୍ତ ଯାଇଥିଲେ । ଏହା ପରେ ସେ ତାଙ୍କ ନିଜଘର ସାନ ତ୍ରିଲୋଚନପୁରଠାରେ କ୍ୱାରେଣ୍ଟାଇନରେ ରହିଥିଲେ । ଏପ୍ରିଲ ୧୩ ତାରିଖ ଦିନ ତାଙ୍କର ନମୁନା ପରୀକ୍ଷା ହୋଇଥିବା ବେଳେ ତାଙ୍କର ପଜିଟିଭ ବାହାରିଛି ଏବଂ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଅନ୍ୟ ଜଣେ ବ୍ୟକ୍ତି ଝାରପଡାରୁ ଚିହ୍ନଟ ହୋଇଥିବା ବେଳେ ସେ ପୂର୍ବ ପଜିଟିଭଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି । ମାତ୍ର ଝାରପଡା ନିଳାଦ୍ରିନଗର ଅଂଚଳରେ ରହୁଥିବା ଏହି ୫୧ ବର୍ଷିୟ ବ୍ୟକ୍ତି ଜଣକ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ କେଶୁରା, ରସୁଲଗଡ଼ ହାଟ ଓ ପଳାଶୁଣି ଯାଇଥିବା ଜଣାପଡିଛି ।
ସେହିପରି ଅନ୍ୟ ତିନିଜଣ ବ୍ୟକ୍ତି ବମିଖାଲ ଅଂଚଳର ହୋଇଥିବା ବେଳେ ସେମାନେ ବେବିଲନ୍ ଆପାର୍ଟମେଣ୍ଟରେ ରହୁଥିବା କୁହାଯାଇଛି । ଏହି ଆପାର୍ଟମେଣ୍ଟରୁ ପୂର୍ବରୁ ପଜିଟିଭ୍ ବାହାରିଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି ସେମାନେ ଘରେ କ୍ୱାରେଣ୍ଟାଇନରେ ରହୁଥିଲେ ।

Spread the love

Leave a Reply

Your email address will not be published. Required fields are marked *