ବନ୍ଦେ ଉତ୍କଳ ଜନନୀକୁ ମିଳିଲା ରାଜ୍ୟ ସଂଗୀତ ମାନ୍ୟତା
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀକୁ ମିଳିଛି ରାଜ୍ୟ ସଂଗୀତ ମାନ୍ୟତା । ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ରାଜ୍ୟ କ୍ୟାବିନେଟ୍ ମଧ୍ୟ ଏଥିରେ ମୋହର ମାରିଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି ।
ଦୀର୍ଘ ଦିନ ଧରି ଏହାକୁ ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏଥିନେଇ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନଥିଲା । ତେବେ କରୋନା ଯୋଦ୍ଧାଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାନ ହେବା ପରେ ଏ ନେଇ ରାଜ୍ୟସରକାରଙ୍କ ପକ୍ଷରୁ ରାଜ୍ୟ ସଂଗୀତ ମାନ୍ୟତା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାଯାଇଛି ।
ଆଜି ପୂର୍ବାହ୍ନରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହୋଇଥିବା ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । କ୍ୟାବିନେଟ୍ ବୈଠକ ପରେ ଏହି ସଂଗୀତକୁ ରାଜ୍ୟ ସରକାର ରାଜ୍ୟ ସଂଗୀତ ମାନ୍ୟତା ପ୍ରଦାନ କରିଥିବା ମନ୍ତ୍ରୀ ସୂଚନା ଦେଇଥିଲେ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଏହି ସଂଗୀତ ପ୍ରତିଟି ଓଡ଼ିଆଙ୍କ ହୃଦୟକୁ ଛୁଇଁଥିବା ବେଳେ ଏହି ସଂଗୀତରେ ଉତ୍କଳ ଜନନୀର ଉଚ୍ଚକୋଟୀର ବର୍ଣ୍ଣନା ହୋଇଥିବା ସେ କହିଥିଲେ । ଏପରିକି ଏହି ସଂଗୀତର ଗାନ ଶୈଳୀ, ସଂଯୋଜନା ଓ ସମୟ ଅବଧି ନିରୂପଣ ପାଇଁ ସୂଚନା ଓ ଲୋକ ସଂପର୍କ ବିଭାଗକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ଗାନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ସେ ସୂଚନା ଦେଇଛନ୍ତି । ଏହା ସହ ପାଠ୍ୟପୁସ୍ତକରେ ଏହାକୁ ସାମିଲ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ।
ସୂଚନା ଯୋଗ୍ୟ ଯେ, ଏହି ସଂଗୀତକୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ୧୯୧୨ ମସିହାରେ ରଚନା କରିଥିବା ବେଳେ ଏହା ପ୍ରଥମ କରି ଉତ୍କଳ ସମ୍ମିଳନୀରେ ଗାନ କରାଯାଇଥିଲା । ୧୯୯୪ ମସିହା ପରଠାରୁ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଏହାକୁ ବିଧାନସଭାରେ ଉଦଯାପନୀ ସଂଗୀତ ଭାବେ ଗାନ କରାଯାଉଥିଲା ।