ବିଜେଡିରେ ଏବେ ବହୁ ବିଜେପି ନେତା

ଭୁବନେଶ୍ୱର,୨୭/୩/୨୦୧୯: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କୋରାପୁଟ ଜିଲ୍ଲା ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ସାଧାରଣ ସଂପାଦକ ହରି ଖେମୁଣ୍ଡୁ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ସିପିଆଇ ନେତା ଏସ୍‍. ରେଡ୍ଡୀ, ବିଜେପିର ତାରକେଶ୍ୱର ରେଡ୍ଡୀ, ସୁନ୍ଦରଗଡ଼ ଜିଲ୍ଲା ଏସ୍‍ସି ସେଲ୍‍ର ସଭାପତି ମଦନମୋହନ ପାତ୍ର, ଉତ୍ତମ କିଶାନ, ସରପଞ୍ଚ ଡିଲେଶ୍ୱର କିଶାନ ନିଜ ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ସମସ୍ତ ନେତା ଓ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ସମସ୍ତେ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ବିଜେଡିରେ ଯୋଗ ଦେଇଥିବା ନେତାମାନେ କହିଥିଲେ ଯେ ଓଡ଼ିଶାରେ ଗରିବ ଓ ଦଳିତଙ୍କ ପାଇଁ ଗୋଟିଏ ଦଳ କାମ କରୁଛି, ସେ ହେଉଛି ବିଜୁ ଜନତା ଦଳ । ମାନ୍ୟବର ସଭାପତିଙ୍କ ସ୍ୱଚ୍ଛ ଓ ନିର୍ମଳ କାର୍ଯ୍ୟ ଧାରା ପ୍ରତି ଓଡ଼ିଶାବାସୀ ଭଲ ଭାବେ ଅବଗତ ଅଛନ୍ତି । ଅପରପକ୍ଷରେ କିଛି ମୁଷ୍ଟିମେୟ ନେତାଙ୍କ ଦ୍ୱାରା ଓଡ଼ିଶାରେ ବିଜେପି ଚାଲିଛି । ରାଜ୍ୟର ଆଦିବାସୀ ଓ ଦଳିତଙ୍କ ବିକାଶ କରିବା ଲାଗି ବିଜେପିର କୌଣସି ଇଚ୍ଛାଶକ୍ତି ନାହିଁ ଏବଂ ସେମାନଙ୍କୁ କିପରି ଅଧିକ ତଳିତଳାନ୍ତ କରି ରଖିହେବ, ସେଥିପାଇଁ କାର୍ଯ୍ୟ ବିଜେପି କରୁଛି ।

Spread the love

Leave a Reply

Your email address will not be published. Required fields are marked *