ବିଜେପି ଦେଲା ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ତାଲିକା
ଭୁବନେଶ୍ୱର,୨୩/୪/୨୦୧୯: ଭୁବନେଶ୍ଵର : ରାଜ୍ୟରେ ଅବାଧ ଓ ମୁକ୍ତ ନିର୍ବାଚନ ପରିଚାଳନା କରିବାରେ ଶାସକ ଦଳର ଗୁଣ୍ଡମାନେ ବାଧା ସୃଷ୍ଟି କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ବିଜେଡିର ଗୁଣ୍ଡାରାଜ, ରାଜନୀତିକ ହତ୍ୟା ଓ ହିଂସାକାଣ୍ଡର ଏକ ତାଲିକା ନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛି।
ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ବିଜେଡିର ରାଜନୀତିକ ହିଂସା ଓ ହତ୍ୟାକାଣ୍ଡ ସମ୍ପର୍କରେ ଲିଖିତ ଭାବେ ଅବଗତ କରିଛନ୍ତି । ବିଜେପି ଅଭିଯୋଗ କରିଛି ଯେ, ଶାସକ ବିଜେଡିର ଇଙ୍ଗିତରେ ରାଜ୍ୟରେ ଗୁଣ୍ଡାମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଇ ନିର୍ବାଚନରେ ବାଧକ ସାଜୁଛନ୍ତି । ଗତ କିଛି ଦିନ ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ହତ୍ୟା, ମରଣାନ୍ତକ ଆକ୍ରମଣ ଓ ହିଂସା ଆଦି ବୃଦ୍ଧି ପାଇଛି। ବିଜେପି କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରାଯିବା, ବିଜେପି ସମର୍ଥକଙ୍କୁ ଧମକ, ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ ଆଦି ଘଟଣା ବୃଦ୍ଧି ପାଇଛି।
ସେହିପରି ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଭୋଟଗ୍ରହଣ ବେଳେ ବୁଥ ରିଗିଂ, କ୍ୟାପଚରିଙ୍ଗ ଆଦି ଘଟଣା ସାମ୍ନାକୁ ଆସିଛି। ଏହା ସତ୍ତ୍ବେ ନିର୍ବାଚନ ଅଧିକାରୀ କିମ୍ବା ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନଷ୍ଠାନ ନେବା ସହ ନିର୍ବାଚନକୁ ସୁପରିଚାଳନା କରିବା ପାଇଁ ବିଜେପି ଦାବି କରିଛି। ଏହାସହିତ ଶାସକ ବିଜେଡି ସମ୍ପୃକ୍ତ ଥିବା ରାଜନୀତିକ ହିଂସା, ହତ୍ୟାକାଣ୍ଡ, ବୁଥ ରିଗିଂ, ବୁଥ କ୍ୟାପଚରିଙ୍ଗର ତାଲିକାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଆଜି ବିଜେପି ପ୍ରଦାନ କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ଉପସଭାପତି ରମାରଞ୍ଜନ ବଳିଆରସିଂହ ଓ ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।