ଆନ୍ଧ୍ର ପ୍ରବାସୀ ଓଡ଼ିଆଙ୍କୁ ଖାଇବା ଯୋଗାଇଲେ ବୈଜୟନ୍ତ
କେନ୍ଦ୍ରାପଡା, ୨୮।୦୪: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଫସି ରହିଥିବା ୨୫୦ ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି ।
ସୂଚନାଯୋଗ୍ୟ, ସାରା ଦେଶରେ କରୋନା ଲକ୍ଡାଉନ ଯୋଗୁ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଓଡିଶାର କେନ୍ଦ୍ରାପଡା ଜିଲ୍ଲାର ୨୫୦ ଜଣ ଓଡିଆ ଶ୍ରମିକ ଭୋକ ଉପାସରେ ଫସି ରହିଛନ୍ତି। ଫସି ରହିଥିବା ଏହି ଓଡିଆ ଶ୍ରମିକମାନେ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ଶ୍ରୀ ପଣ୍ଡାଙ୍କୁ ନିବେଦନ କରିଥିଲେ।
ଶ୍ରୀ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଆନ୍ଧ୍ର ପ୍ରଦେଶ ବିଜେପିର କାର୍ଯ୍ୟକର୍ତ୍ତାଙ୍କ ସହ ଜିଲ୍ଲାର ଓବିସି ମୋର୍ଚ୍ଚା ସଭାପତି ଜେ. ରମ୍ମୁ ତୁରନ୍ତ ଫସି ରହିଥିବା ଓଡିଆଙ୍କ ପାଖରେ ପହଞ୍ଚି ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲା ।
ଲକ୍ଡାଉନ ଆରମ୍ଭରୁ ଏହି ଶ୍ରମିକ ମାନେ କୌଣସି ମତେ ନିଜ ଖାଦ୍ୟ ପାନୀୟ ବ୍ୟବସ୍ଥା କରିଥିଲେ କିନ୍ତୁ ଲକ୍ଡାଉନ ବଢିବା ପରେ ସେମାନଙ୍କ ପାଖରେ ଥିବା ଖାଦ୍ୟ ସାମଗ୍ରୀ ସରିଯାଇଥିଲା ଓ ଆର୍ଥିକ ସମ୍ବଳ ମଧ୍ୟ ନଥିଲା ଶେଷରେ ଏହି ଶ୍ରମିକ ମାନେ ଶ୍ରୀ ପଣ୍ଡାଙ୍କୁ ଯୋଗାଯୋଗ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।
ଭୋକ ଉପାସରେ ଫସି ରହିଥିବା ଓଡିଆ ମାନଙ୍କୁ ତୁରନ୍ତ ସାହାଯ୍ୟ ଯୋଗାଇ ଥିବାରୁ ଶ୍ରୀ ପଣ୍ଡା ଆନ୍ଧ୍ର ପ୍ରଦେଶ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇବା ସହ ଏହି ସେବା ମନୋଭାବ ବିଜେପିକୁ ବିଶ୍ବର ସର୍ବବୃହତ ରାଜନୈତିକ ଦଳ କରିଛି ବୋଲି କହିଛନ୍ତି। ପ୍ରବାସୀ ଓଡିଆ ଶ୍ରମିକମାନେ ଶ୍ରୀ ପଣ୍ଡାଙ୍କ ତୁରନ୍ତ ହସ୍ତକ୍ଷେପ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି ।