ଭାଗୀରଥି ସେଠୀ ବିଜେପିରୁ ଟିକେଟ୍ ପାଇ ବି ବିଜେଡିରେ ଯୋଗଦେଲେ
ଭୁବନେଶ୍ୱର,୨୯/୩/୨୦୧୯: ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ପାଇଁ ଭାରତୀୟ ଜନତା ପାର୍ଟି ତରଫରୁ ଚଳିତ ସାଧାରଣ ନିର୍ବାଚନରେ ଟିକେଟ୍ ପାଇଥିବା ପୂର୍ବତନ ବିଧାୟକ ଶ୍ରୀ ଭାଗୀରଥି ସେଠୀ ନିଜର ଶତାଧିକ ସମର୍ଥକଙ୍କ ସହ ନବୀନ ନିବାସ ଆସି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଯାହାଫଳରେ ବିଜେପିକୁ ଆଜି ଶକ୍ତ ଝଟ୍କା ଲାଗିଛି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ପୁନର୍ବାର ଯୋଗ ଦେଇଥିବା ଶ୍ରୀ ସେଠୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଶ୍ରୀ ସେଠୀ ଦଳକୁ ଫେରିଆସିଥିବା ଯୋଗୁ ମୁଁ ବହୁତ ଖୁସି । ତାଙ୍କର ଦଳକୁ ପ୍ରତ୍ୟାବର୍ତ୍ତନ ନିଶ୍ଚିତ ଭାବେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ବିଜେଡିରେ ଯୋଗ ଦେବା ଅବସରରେ ଶ୍ରୀ ସେଠୀ କହିଥିଲେ ଯେ ଜିଲ୍ଲାରେ ବିଜେପିର ସ୍ଥିତି ଠିକ୍ ନାହିଁ । ଦଳରେ ପ୍ରବଳ ଅନ୍ତଦ୍ୱର୍ନ୍ଦ୍ୱ ଲାଗି ରହିଛି । ମୋତେ ଭାରତୀୟ ଜନତା ପାର୍ଟିରେ ଅଣନିଃଶ୍ୱାସୀ ଲାଗୁଥିଲା, ଯାହାଫଳରେ ନିଜକୁ ସୁରକ୍ଷା ମଣୁନଥିଲି । ମୁଁ ହେଉଛି ବିଜୁ ପରିବାରର ଲୋକ, ତେଣୁ ମୁଁ ମୋର ପୁରୁଣା ଘରକୁ ଚାଲିଆସିଲି ।
ଆଜିର ଏହି କାର୍ଯ୍ୟକ୍ରମରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।