ଭାରତ କରୋନା ମୁକାବିଲା କରିବାରେ ସମର୍ଥ: ଡ. ଭାଗବତ

ନାଗପୁର,୨୬/୪: ବୈଶ୍ୱିକ ମହାମାରୀ କରୋନା ସଙ୍କଟ ବିଷୟରେ ନାଗପୁର ଠାରେ ଅନ୍ ଲାଇନ୍ ଉଦ୍‌ବୋଧନ ଦେଇ ସରସଂଘ ଚାଳକ ଡ. ମୋହନ ଭାଗବତ କହିଲେ ଯେ, ସମଗ୍ର ବିଶ୍ୱ ଏ ମହାମାରୀ ପ୍ରକୋପରେ କବଳିତ । ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ଏ ସଂକଟରୁ ବର୍ତ୍ତିବା ପାଇଁ ସର୍ବୋକୃଷ୍ଟ ଉପାୟଟି ହେଉଛି ଘରେ ରହିବା । ଆମେ ସମସ୍ତେ ଧୈର୍ଯ୍ୟର ସହିତ ନିଜ ନିଜ ଘରେ ରହି କରୋନାକୁ ପରାଜିତ କରି ପାରିବା ।

ସରସଂଘଚାଳକ କହିଲେ ଯେ, ଆମ ସ୍ୱୟଂସେବକମାନେ ମଧ୍ୟ ନିଜ ନିଜ ଘରେ ରହି ଲକ୍‌ଡାଉନ ନିୟମ ପାଳନ କରୁଛନ୍ତି । ଏହାଛଡା ବିଭିନ୍ନ ସେବାକାର୍ଯ୍ୟ ମଧ୍ୟ ଚାଲୁ ରହିଛି । ସେ କହିଲେ ଯେ ଏହି ସେବାକାର୍ଯ୍ୟ ଆତ୍ମ ପ୍ରସିଦ୍ଧି କିମ୍ବା ଅହଂକାରର ତୃପ୍ତିନିମନ୍ତେ ନୁହେଁ ବରଂ ମାନବମାତ୍ରର ସେବା ଓ କଲ୍ୟାଣ ନିମନ୍ତେ ଚାଲୁ ରହିଛି । ଆମେ ଏହି କାର୍ଯ୍ୟ ଏଥିପାଇଁ କରୁଛୁ ଯେ ଏ ଦେଶ ହେଉଛି ଆମର ଏ ସମାଜ ହେଉଛି ଆମର । ଏଥିପାଇଁ ଆମକୁ ନିସ୍ୱାର୍ଥପର ହୋଇ ନିରନ୍ତର କାର୍ଯ୍ୟ କରିବାକୁ ହେବ । କରୋନା ସମ୍ବନ୍ଧିତ ସରକାରୀ ଦିଗ୍‌ଦର୍ଶନକୁ ପାଳନ କରି ସ୍ୱୟଂସେବକମାନେ ନିଜ କାର୍ଯ୍ୟ ଜାରି ରଖିବାକୁ ସରସଂଘ ଚାଳକ ଆହ୍ୱାନ ଦେଇଛନ୍ତି । ଏଥିନିମନ୍ତେ ସଂଘ ତାର ସମସ୍ତ କାର୍ଯ୍ୟକ୍ରମ ଜୁନ୍ ଶେଷ ଯାଏଁ ସ୍ଥଗିତ ରଖିଛି ।

ସେ କହିଲେ ଯେ, କରୋନା ଏକ ନୂତନ ରୋଗ । ତେଣୁ ଏହା ବିଷୟରେ ଅନେକ ଲୋକ କିଛି ଜାଣନ୍ତି ନାହିଁ । ତଥା ଏହାକୁ ନେଇ ବିଭିନ୍ନ ଭ୍ରାନ୍ତି ମଧ୍ୟ
ଲୋକଙ୍କ ମନରେ ରହିଛି । ହେଲେ ସ୍ୱୟଂସେବକମାନେ ଏସବୁକୁ ନଡରି ଦୃଢ ନିଶ୍ଚୟ ଭାବରେ କରୋନା ସଂକଟର ମୁକାବିଲା କରନ୍ତୁ । ଏ ସମସ୍ୟା କେତେ ଦିନ ଧରି ଲାଗି ରହିବ କହିବା ଅସମ୍ଭବ । ତେଣୁ ଶାସନ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିୟମକୁ ମାନି ଆମକୁ ଶେଷ ପର୍ଯ୍ୟନ୍ତ କାମ କରିବାକୁ ହେବ । ସଂଘ ପାଇଁ ଭାରତର ୧୩୦ କୋଟି ଭାରତୀୟ ଏକ ଏବଂ ଅଭିନ୍ନ । ତେଣୁ ଆମର ସ୍ୱୟଂସେବକମାନେ ମନରେ କୈଣସି ଭେଦଭାବ ନରଖି ସେବାକାର୍ଯ୍ୟ ଜାରି ରଖିଛନ୍ତି । ଏହି ସେବାକାର୍ଯ୍ୟରେ ନିୟୋଜିତ ଥିବା ବେଳେ ଆମେ କୌଣସି ପ୍ରକାରେ ଥକି ନଯାଇ, ନିରୁତ୍ସାହିତ ନହୋଇ ନିଜ ତଥା ନିଜ ପରିବାରର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ପୂର୍ବକ ଅନ୍ୟର ସେବା କରିଚାଲିବା, ମଝିରେ ରହିଯିବା ନାହିଁ । ସଙ୍କଟ ସମାପ୍ତ ହେବା ପର୍ଯ୍ୟନ୍ତ ଆମକୁ ଧୈର୍ଯ୍ୟ ସହିତ ନିରନ୍ତର କାମ କରିବାକୁ ହେବ ।

କରୋନା ସଂକଟ ସମୟରେ ଭାରତ ସରକାରଙ୍କ ଭୂମିକାକୁ ପ୍ରଶଂସା କରି ଭାଗବତ କହିଲେ ଯେ, ଆମେ ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି କରୋନା ପୀଡିତ ବିଭିନ୍ନ ଦେଶକୁ ସାହାର୍ଯ୍ୟ ସହାୟତା ପ୍ରଦାନ କରିଛୁ । ସେ କହିଲେ ଯେ, ଏହି ସଂକଟକୁ ପରୋକ୍ଷରେ ଏକ ସୁଯୋଗ ବୋଲି ବିଚାର କରିବାକୁ ହେବ । ଦେଶକୁ କରୋନା ସଂକଟରେ ଅନେକ କିଛି ଶିକ୍ଷା କରିବାକୁ ସୁଯୋଗ ମିଳିଛି । ଏ ସମୟର ସଦୁପଯୋଗ ପୂର୍ବକ ଆମକୁ ସ୍ୱାବଲମ୍ବୀ ହେବାକୁ ପଡିବ । ଏଥିପାଇଁ ସ୍ୱଦେଶୀ ଆପଣେଇବା ସହିତ ଉଚାମ ଗୁଣବଚାାର ସାମଗ୍ରୀ ଉତ୍ପାଦନ କରିବାକୁ ହେବ । ଗ୍ରାମୀଣ କ୍ଷେତ୍ରରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ରୋଜଗାର ବ୍ୟବସ୍ଥା କରିବାକୁ ହେବ । ଜୈବିକ କୃଷିକୁ ପ୍ରୋତ୍ସାହନ ଦେବା ଏବଂ ଗ୍ରାମୀଣ ରୋଜଗାରକୁ ୍‌ଅଗ୍ରାଧିକାର ଦେବାକୁ ହେବ । ସଂରସଂଘଚାଳକ କହିଲେ ଯେ, ଆମକୁ ସଂସ୍କାରମୂଳକ ଶିକ୍ଷାନୀତି ପ୍ରସ୍ତୁତ କରି ଏହି ସଂକଟର ଘଡିସନ୍ଧି ମୂହୁର୍ତ୍ତକୁ ଏକ ସୁଯୋଗରେ ପରିଣତ କରିବାକୁ ହେବ ।

ଭାଗବତ କହିଲେ ଯେ, କିଛି ଲୋକ ଅଭିସନ୍ଧି ମୂଳକ ଭାବରେ ଭଲକାର୍ଯ୍ୟକୁ ଭଣ୍ଡୁର କରିବାକୁ ଚେଷ୍ଟିତ । ଆମକୁ ସେଥିପ୍ରତି ଧ୍ୟାନ ନଦେଇ ପରୋପକାର ଭାବନା ନେଇ ନିଜକୁ ସଂଯମ ପୂର୍ବକ ଲୋକଙ୍କ ସେବାରେ ନିୟୋଜିତ କରିବାକୁ ହେବ ।

ମହାରାଷ୍ଟ୍ରର ପାଲଘରରେ ଘଟିତ ଦୁଇ ଜଣ ସାଧୁଙ୍କ ହତ୍ୟାକୁ ନିନ୍ଦା କରି ଭାଗବତ କହିଲେ ଯେ, ଏଭଳି ଘଟଣା ଘଟିବା ଦୁର୍ଭାଗ୍ୟ ଜନକ । ଏଥିନିମନ୍ତେ ଆଗାମୀ ୨୮ ତାରିଖ ଦିନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଏ କାର୍ଯ୍ୟକ୍ରମରେ ସରକାରୀ ନୀତି ନିୟମକୁ ମାନି ସମାଜର ସମସ୍ତ ବ୍ୟକ୍ତି ନିଜ ନିଜ ସ୍ତରରେ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । କରୋନା ପୀଡିତ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସାହାର୍ଯ୍ୟ ସହଯୋଗ ପହଁଚୁ ଏଥିପାଇଁ ଆମକୁ ବିଶେଷ ଦୃଷ୍ଟି ଦେବାକୁ ଭାଗବତ ଆହ୍ୱାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *