ମୟୁରଭଞ୍ଜରେ କାୟା ମେଲାଇଲା କରୋନା
ଭୁବନେଶ୍ୱର: ଦୀର୍ଘ ଦିନ ଧରି ଗ୍ରୀନ୍ ଜୋନ୍ ଓ ନିରାପତ୍ତା ବଳୟ ମଧ୍ୟରେ ଥିବା ମୟୁରଭଞ୍ଜ ଜିଲ୍ଲାରେ କାୟା ମେଲାଇଛି କରୋନା । ଗୋଟିଏ ଦିନରେ ତିନିଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ଏହି ଜିଲ୍ଲାରୁ । କ୍ୱାରେଣ୍ଟାଇନରେ ରହିଥିବା ଏହି ତିନି ଯୁବକଙ୍କ ସ୍ୱାବ୍ ପରୀକ୍ଷା ପରେ ସେମାନେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ବୟସ ୨୧ ବର୍ଷ, ୩୬ ବର୍ଷ ଓ ୪୪ ବର୍ଷ ବୋଲି କୁହାଯାଇଛି । ଆକ୍ରାନ୍ତମାନେ ସୁରତ ଫେରନ୍ତା ବୋଲି ସୂଚନା ଦିଆଯାଇଛି ।
ନୂତନ ଆକ୍ରାନ୍ତଙ୍କ ଫଳରେ ରାଜ୍ୟର ୧୮ଟି ଜିଲ୍ଲାକୁ କରୋନା ବ୍ୟାପିଥିବା ଜଣାପଡିଛି । ଗତକାଲି ଜଗତସିଂହପୁରକୁ କରୋନା ଡେଇଁଥିବାବେଳେ ଆଜି ମୟୁରଭଞ୍ଜରେ ତାର ପାଦ ଥାପିଛି । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରୁଥିବାରୁ ପ୍ରଶାସନ ପକ୍ଷରୁ ଚିନ୍ତା ପ୍ରକଟ କରାରାଇଛି ।
ବିଶେଷ କରି ସୂରତରୁ ପ୍ରବାସୀ ଓଡ଼ିଆମାନେ ଫେରିବା ପରେ ଗଞ୍ଜାମ, ଜଗତସିଂହପୁର, ମୟୁରଭଞ୍ଜ ଓ କଟକକୁ କରୋନା ବ୍ୟାପିଥିବା ସୂଚନା ଦିଆଯାଇଛି । ଗତକାଲି ରାଜ୍ୟରେ ୩୦୬୦ଟି ସ୍ୱାବ୍ ପରୀକ୍ଷା ହୋଇଥିବା ବେଳେ ସେଥି ମଧ୍ୟରୁ ମୋଟ ୨୮ଟି ପଜିଟିଭ୍ ବାହାରିଥିବା ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।