ରାଜ୍ୟରେ ୩ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା
ଧିରେ ଧିରେ ଅଣାୟତ ହେଉଛି କରୋନା ସ୍ଥିତି
ଭୁବନେଶ୍ୱର: ରାଜ୍ୟରେ ଅହେତୁକ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆଜି ୧୪୬ଜଣ ନୂତନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଯାଇଛି । ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୪୦ରେ ପହଞ୍ଚିଛି । ଆଜି ନୂତନ ଭାବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୧ଜଣ ଏନଡିଆରଏଫ୍ ଜବାନ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଫଳରେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି ।
ଗଞ୍ଜାମରୁ ୧୮ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୯ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୮ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୭ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଦେବଗଡ଼ରୁ ୫ଜଣ ଚିହ୍ନଟ ହୋଇଥିବା ବେଳେ କଳାହାଣ୍ଡି, ନୟାଗଡ଼ ଓ ମୟୂରଭଞ୍ଜରୁ ୩ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ୧୦ଟି ଜିଲ୍ଲାରେ ଶହେରୁ ଅଧିକ ଆକ୍ରାନ୍ତ ରହିଛନ୍ତି ।
ସେହିଭଳି ଦୁଇଟି ଜିଲ୍ଲାରେ ୯୦ରୁ ଅଧିକ କରୋନା ଆକ୍ରାନ୍ତ ରହିଛନ୍ତି । କେବଳ ଗଞ୍ଜାମର ଆକ୍ରାନ୍ତଙ୍କ ସଂଖ୍ୟା ୬୪୯ ହୋଇଛି ।
ଅପରପକ୍ଷରେ ଆକ୍ରାନ୍ତଙ୍କ ସହ ତାଳ ଦେଇ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଜି ଗୋଟିଏ ଦିନରେ ୧୪୦ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି ।
କଟକରୁ ସର୍ବାଧିକ ୨୪ଜଣ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମରୁ ୨୨ ଓ ନୂଆପଡ଼ାରୁ ୨୧ ଜଣ ସୁସ୍ଥ ହୋଇଛନ୍ତି । ଯାଜପୁର, ଖୋର୍ଦ୍ଧା ଓ ଜଗତସିଂହପୁରରୁ ମଧ୍ୟ ୧୧ଜଣ ଲେଖାଏଁ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି । ଅଦ୍ୟାବଧି ୩୧୪୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୧୩୩ଜଣ ସୁସ୍ଥ ହୋଇଥିବା ବେଳେ ୯୯୬ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି ।